ପୁରୀରେ ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୋଲିସ ମୁତୟନ, ବ୍ୟବସ୍ଥାର ସମୀକ୍ଷା କଲେ ଆଇଜି ଡଃ ସତ୍ୟଜିତ ନାୟକ ।

ପୁରୀ, ୨୩/୧୦(ପିପିଟି): ପବିତ୍ର କାର୍ତ୍ତିକ ବ୍ରତ ଅବସରରେ ପୁରୀକୁ ଆସୁଥିବା ହବିଷ୍ୟାଳୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ ଦେଇ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ଡଃ ସତ୍ୟଜିତ ନାୟକ, ଆଇପିଏସ୍‌, ଶୁକ୍ରବାର ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ହବିଷ୍ୟାଳୀଙ୍କ ରହଣି ପାଇଁ ଚିହ୍ନଟ ହୋଇଥିବା ତିନୋଟି ସ୍ଥାନ ପରିଦର୍ଶନ କରି ସେଠାରେ ରହିଥିବା ସୁବିଧାସୁଯୋଗ, ପୋଲିସ ମୁତୟନ ଓ ସୁରକ୍ଷା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଉପସ୍ଥିତ ଥିଲେ।

ହବିଷ୍ୟାଳୀମାନେ ଯେପରି ନିରାପଦ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ରହି କାର୍ତ୍ତିକ ବ୍ରତ ପାଳନ କରିପାରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଇଜି ଗୁରୁତ୍ୱ ଦେଇଥିଲେ। ରହଣିସ୍ଥଳଗୁଡ଼ିକରେ ନିରନ୍ତର ନଜର ରଖିବା, ଅପ୍ରୀତିକର ଘଟଣାକୁ ରୋକିବା, ହବିଷ୍ୟାଳୀଙ୍କ ଚଳପ୍ରଚଳକୁ ସୁବ୍ୟବସ୍ଥିତ କରିବା ଏବଂ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ଅକ୍ଟୋବର ୨୬ରୁ ନଭେମ୍ବର ୨୪, ୨୦୨୬ ପର୍ଯ୍ୟନ୍ତ ପୁରୀର ତିନୋଟି ରହଣିସ୍ଥଳରେ ପାଞ୍ଚ ପ୍ଲାଟୁନ୍ ପୋଲିସ ଫୋର୍ସ ୨୪ ଘଣ୍ଟିଆ ଭିତ୍ତିରେ ମୁତୟନ ରହିବେ। ଏହା ସହିତ ପୁରୀ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ୨୦ରୁ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ସୁରକ୍ଷା, ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଜରୁରୀକାଳୀନ ସେବା ପାଇଁ ସୁଗମ ଯାତାୟାତକୁ ପ୍ରାଥମିକତା ଦିଆଯିବ।

ବିଭିନ୍ନ ସ୍ଥାନରେ ନିୟୋଜିତ ପୋଲିସ ବଳ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ସୁରକ୍ଷା ପରିସ୍ଥିତି ଉପରେ ନଜର ରଖାଯିବ। ପୋଲିସ କର୍ମଚାରୀଙ୍କ ସଠିକ୍ ନିୟୋଜନ, ନିରନ୍ତର ତଦାରଖ ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆଇଜି ନିର୍ଦ୍ଦେଶ ଦେଇଥିଲେ। ପୁରୀ ଏସ୍‌ପି ପ୍ରତୀକ ସିଂହ ଓ ଜିଲ୍ଲା ପୋଲିସ ଟିମ୍ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

କାର୍ତ୍ତିକ ବ୍ରତ ସମୟରେ ପୁରୀକୁ ଆସୁଥିବା ହବିଷ୍ୟାଳୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା କେନ୍ଦ୍ରାଞ୍ଚଳ ପୋଲିସର ପ୍ରମୁଖ ଲକ୍ଷ୍ୟ ବୋଲି ଜଣାପଡ଼ିଛି।

Comments (0)
Add Comment