ନୂଆଦିଲ୍ଲୀ, ୧୨/୧୧ : ଚିକିତ୍ସା ବିଜ୍ଞାନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏକ ନୂଆ ଯୁଗର ସମ୍ଭାବନା ସୃଷ୍ଟି କରିଛି। ଆଗାମୀ ୧୦ ବର୍ଷ ମଧ୍ୟରେ କର୍କଟ, ଅଲ୍ଜାଇମର ଓ ହୃଦ୍ରୋଗ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କିମ୍ବା ନିରାକରଣ କରିବା ସମ୍ଭବ ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଆନ୍ଥ୍ରୋପିକ୍ର ସିଇଓ ଡାରିଓ ଏମୋଡି। ତାଙ୍କ ମତରେ, ଏଆଇର ସଠିକ୍ ଉପଯୋଗ ମାଧ୍ୟମରେ ମାନବ ସମାଜ ହଜାର ହଜାର ବର୍ଷ ଧରି ମୁକାବିଲା କରିଆସୁଥିବା ଅନେକ ଜଟିଳ ରୋଗର ସମାଧାନ ଖୋଜିପାରିବ। ଏଆଇ ସହାୟତାରେ କର୍କଟ ଭଳି ପ୍ରାଣଘାତକ ରୋଗ ଏକ ଦଶନ୍ଧି ମଧ୍ୟରେ ଇତିହାସ ପାଲଟିପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଏମୋଡିଙ୍କ ସହ ଏଲନ ମସ୍କ ଏବଂ ଗୁଗଲ୍ ଡିପ୍ମାଇଣ୍ଡର ମୁଖ୍ୟ ଡେମିସ ହାସାବିସ୍ ମଧ୍ୟ ଚିକିତ୍ସା ବିଜ୍ଞାନରେ ଏଆଇର ଭୂମିକାକୁ ନେଇ ଆଶାବାଦୀ। ହାସାବିସ୍ଙ୍କ ମତରେ, ଏଆଇ ସହାୟତାରେ ଔଷଧ ଆବିଷ୍କାର ପାଇଁ ଲାଗୁଥିବା ଦୀର୍ଘ ବର୍ଷର ଗବେଷଣାକୁ ମାତ୍ର କିଛି ସପ୍ତାହ ମଧ୍ୟରେ ସମ୍ପନ୍ନ କରିବା ସମ୍ଭବ ହୋଇପାରେ। ଏହାର ଉଦାହରଣ ଭାବେ ସେ ଗୁଗଲ୍ର ଏଆଇ ଉପକରଣ ‘ଆଲ୍ଫାଫୋଲ୍ଡ’ର ସଫଳତାକୁ ଉଲ୍ଲେଖ କରିଛନ୍ତି। ଏହି ପ୍ରଯୁକ୍ତି ୨୦ କୋଟିରୁ ଅଧିକ ପ୍ରୋଟିନ୍ର ସଂରଚନା ପୂର୍ବାନୁମାନ କରି ବୈଜ୍ଞାନିକ ଗବେଷଣା ଓ ନୂତନ ଔଷଧ ଆବିଷ୍କାର ପାଇଁ ନୂଆ ଦିଗ ଖୋଲିଛି। ଏହା ଫଳରେ ଔଷଧ ଗବେଷଣାର ଗତି ବୃଦ୍ଧି ପାଇବା ସହ ଜଟିଳ ରୋଗର ଚିକିତ୍ସା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।
ତେବେ ଆଗାମୀ ଦଶ ବର୍ଷ ମଧ୍ୟରେ ମାରାତ୍ମକ ରୋଗଗୁଡ଼ିକର ଅନ୍ତ ଘଟିବ ବୋଲି ହେଉଥିବା ଦାବିକୁ ଔଷଧ ନିର୍ମାତା କମ୍ପାନି ଓ ଅନେକ ବୈଜ୍ଞାନିକ ସହଜରେ ଗ୍ରହଣ କରିନାହାନ୍ତି। ଭର୍ଟେକ୍ସ ଫାର୍ମାସ୍ୟୁଟିକାଲ୍ସର ମୁଖ୍ୟ ଜେଫ୍ ଲେଡେନ୍ ଏହି ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅନୁସାରେ, ୫୦ରୁ ଅଧିକ ଏଆଇ କମ୍ପାନିର ପ୍ରଯୁକ୍ତି ବ୍ୟବହାର କରାଯାଇଥିଲେ ମଧ୍ୟ ଆଶାନୁରୂପ ଔଷଧ ପ୍ରସ୍ତୁତିରେ ସଫଳତା ମିଳିନାହିଁ। ବିଶେଷଜ୍ଞଙ୍କ ମତରେ, କମ୍ପ୍ୟୁଟର ମାଧ୍ୟମରେ ଔଷଧର ସମ୍ଭାବ୍ୟ ସଂରଚନା ଖୋଜିବା ହେଉଛି ଗବେଷଣାର ପ୍ରଥମ ପର୍ଯ୍ୟାୟ ମାତ୍ର। ଏହା ପରେ ପ୍ରୟୋଗଶାଳା ପରୀକ୍ଷା, ପଶୁଙ୍କ ଉପରେ ପରୀକ୍ଷଣ, ମଣିଷଙ୍କ ଉପରେ କ୍ଲିନିକାଲ୍ ଟ୍ରାଏଲ୍ ଏବଂ ନିୟାମକ ସଂସ୍ଥାର ଅନୁମୋଦନ ଭଳି ଦୀର୍ଘ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥାଏ। ଏଥିପାଇଁ ସାଧାରଣତଃ ୧୦ରୁ ୧୨ ବର୍ଷ ସମୟ ଲାଗେ। ଗ୍ୟାରି ମାର୍କସ୍ ଓ ଡା. ଏରିକ୍ ଟୋପୋଲ୍ଙ୍କ ଭଳି ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ଏଆଇ ମଣିଷ ଶରୀର ଓ ରୋଗର ଜଟିଳତାକୁ ସମ୍ପୂର୍ଣ୍ଣ ବୁଝିବା ସ୍ତରରେ ପହଞ୍ଚିନାହିଁ। ତେଣୁ ଏଆଇ ଚିକିତ୍ସା ବିଜ୍ଞାନରେ ନୂଆ ଆଶା ସୃଷ୍ଟି କରିଥିଲେ ମଧ୍ୟ କର୍କଟ ଭଳି ରୋଗର ସମ୍ପୂର୍ଣ୍ଣ ନିରାକରଣ ଏବେ ମଧ୍ୟ ଗବେଷଣା, ପରୀକ୍ଷଣ ଓ ବୈଜ୍ଞାନିକ ପ୍ରମାଣ ଉପରେ ନିର୍ଭରଶୀଳ।