ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡି ପର୍ଯ୍ୟଟକ ଦମ୍ପତି ମୃତ ।

ଯାଜପୁର,୧୨/୧୧(ପିପିଟି ): ଆନ୍ଧ୍ରପ୍ରଦେଶରୁ ମା ବିରଜାଙ୍କ ଦର୍ଶନ ପାଇଁ ଆସିଥିବା ଏକ ପର୍ଯ୍ୟଟକ ଦଳ ଗୁରୁବାର ସକାଳେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବୁଡ଼ ପକାଉଥିବାବେଳେ ୪ ଜଣ ପାଣିରେ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ପର୍ଯ୍ୟଟକ ଦମ୍ପତିଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଅନ୍ୟ ଦୁଇଜଣ ଗୁରୁତର ରହିଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି।

ସୂଚନା ମୁତାବକ ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶ ଚିତ୍ତର ଜିଲାର ଦୁଇ ପରିବାର ଭୁବନେଶ୍ୱରରୁ ଏକ ଭଡା ଗାଡ଼ିରେ ବିରଜା ଙ୍କୁ ଦର୍ଶନ ପାଇଁ ଆସିଥିଲେ। ପୁଣ୍ୟତୋୟା ବୈତରଣୀର ଦଶାଶ୍ଵମେଧ ଘାଟରେ ଚାରି ଜଣ ବୁଡ଼ ପକାଉଥିବା ବେଳେ ବୁଡି ଯାଇଥିଲେ। ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା ଓ ଅନ୍ୟ ଦୁଇ ଜଣ ନଦୀ ମଝିକୁ ଚାଲି ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଦୀରୁ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦମ୍ପତି ହେଲେ ମହାସମୁଦ୍ର ଶ୍ରୀନିବାସନ (୬୨) ଓ ତାଙ୍କ ଧର୍ମ ପତ୍ନୀ ଏମ ଦେବୀ (୫୨)। ସେମାନେ ଝିଅ ଓ ଜ୍ୱାଇଁ ସମେତ ୭ ଜଣ ଗୋଟିଏ ଗାଡ଼ିରେ ଆସିଥିଲେ।ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣା ସମଗ୍ର ଯାଜପୁର ସହରରେ ଶୋକର ଛାୟା ଖେଳାଇ ଦେଇଛି।

Comments (0)
Add Comment