ମାଲକାନଗିରି , ୨୨/୦୭(ପିପିଟି):ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଡୁର୍କାଯୋଡ଼ି ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଡମ୍ବରୁ ଓଡି (୩୫)। ଘଟଣା ରୁ ପ୍ରକାଶ ଯେ,ଗ୍ରାମବାସୀମାନେ ମିଳିତ ଭାବେ ନଦୀରେ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ କରି ମାଛ ଧରୁଥିଲେ।
ଏହି ସମୟରେ ଡମ୍ବରୁ ଓଡି ମାଛ ଧରିବା ପାଇଁ ନଦୀକୁ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ଜଳର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ ଜାଣିବା ପରେ ସେ ମାଥିଲି ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ଶେଷରେ ଆଜି ସକାଳେ ନଦୀରୁ ଡମ୍ବରୁ ଓଡିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଦହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)