ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସାଥିରେ ଯିବେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ।

ଭୁବନେଶ୍ୱର,୦୨/୧୧(ପିପିଟି): ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ସନ୍ଧ୍ୟାରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହି ଗସ୍ତରେ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ହେବାକୁ ଥିବା ‘ଅକ୍ଷୟ ଶକ୍ତି ସମ୍ମିଳନୀ-୨୦୨୬’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ସମ୍ମିଳନୀରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରର ସମ୍ଭାବନା, ନିବେଶ ଓ ଶକ୍ତି ଉତ୍ପାଦନ ସମ୍ପର୍କିତ ବିଷୟ ଉପରେ ଆଲୋଚନାର ସୁଯୋଗ ରହିବ।
ଅନ୍ୟପକ୍ଷରେ, ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶାର ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ରାଜ୍ୟରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ କେନ୍ଦ୍ରୀୟ ନେତୃତ୍ୱ ଓ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି। ତେବେ ଏ ସମ୍ପର୍କରେ ସରକାରୀ ସ୍ତରରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Comments (0)
Add Comment