ଗାଡ଼ି ମାଲିକଙ୍କୁ କେନ୍ଦ୍ରର କଡ଼ା ପଦକ୍ଷେପ, ଦିନକରେ ଲକ୍ଷାଧିକ ଯାନ ପଞ୍ଜୀକରଣ ରେକର୍ଡରୁ ବାଦ୍ ।

ଭୁବନେଶ୍ୱର, ୦୨/୧୧(ପିପିଟି): ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନବୀକରଣରେ ଦୀର୍ଘଦିନ ଧରି ଅବହେଳା କରୁଥିବା ମାଲିକଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଯାନବାହନ ପୃଥକୀକରଣ ବା ‘ଭେଇକିଲ୍ କ୍ଲାସିଫିକେସନ’ ବ୍ୟବସ୍ଥା ଅନୁଯାୟୀ ଦେଶର ବହୁ ସଂଖ୍ୟକ ଗାଡ଼ିକୁ ସ୍ଥାୟୀ ଆର୍କାଇଭ୍ ବର୍ଗରେ ରଖାଯାଇଥିବା ସୂଚନା ମିଳିଛି। ଏହାଦ୍ୱାରା ସମ୍ପୃକ୍ତ ଗାଡ଼ିଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ର (ଆର୍ସି) ବାତିଲ ହୋଇଥିବା ନେଇ ମାଲିକମାନଙ୍କ ମୋବାଇଲକୁ ବାର୍ତ୍ତା ପଠାଯାଇଛି। ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦଙ୍କ ସୂଚନା ଅନୁଯାୟୀ, ରବିବାର ଦେଶର ପ୍ରାୟ ୨୫ ଲକ୍ଷ ଗାଡ଼ି ମାଲିକଙ୍କ ନିକଟକୁ ଏ ସମ୍ପର୍କିତ ବାର୍ତ୍ତା ପଠାଯାଇଛି। ଗତ ତିନି ବର୍ଷ ଧରି ବୀମା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ୍ ଅପଡେଟ୍ ନକରିବା ଏହି ପଦକ୍ଷେପର ପ୍ରମୁଖ କାରଣ ବୋଲି କୁହାଯାଇଛି। ଓଡ଼ିଶା ସମେତ କର୍ଣ୍ଣାଟକକୁ ବାଦ୍ ଦେଇ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ରହିଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୧୦ ସୁଦ୍ଧା ଓଡ଼ିଶାର ଲକ୍ଷାଧିକ ଗାଡ଼ିକୁ ସ୍ଥାୟୀ ଆର୍କାଇଭ୍ ବର୍ଗରେ ସାମିଲ କରାଯାଇଛି। ଏ ସମ୍ପର୍କରେ ମାଲିକମାନଙ୍କୁ ନିଜ ନିଜ ଅଞ୍ଚଳର ଆର୍ଟିଓଙ୍କ ସହ ଯୋଗାଯୋଗ କରିବାକୁ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଘରୋଇ ଓ ବାଣିଜ୍ୟିକ ଗାଡ଼ି ସଂଖ୍ୟା ପ୍ରାୟ ୧ କୋଟି ୧୦ ଲକ୍ଷ ଥିବାବେଳେ ସେଥିରୁ ପ୍ରାୟ ୪୦ ଲକ୍ଷ ଗାଡ଼ିର କାଗଜପତ୍ର ଅପଡେଟ୍ ରହିଛି ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ, ପ୍ରାୟ ୬୫ ଲକ୍ଷ ଗାଡ଼ିର ବୀମା ନଥିବା ଏବଂ ଦୀର୍ଘ ତିନି ବର୍ଷ ଧରି ଆବଶ୍ୟକୀୟ କାଗଜପତ୍ର ବିନା ଚଳାଚଳ କରୁଥିବା ପ୍ରାୟ ୨୦ ଲକ୍ଷ ଗାଡ଼ି ସ୍ଥାୟୀ ଆର୍କାଇଭ୍ ବର୍ଗରେ ଆସୁଥିବା ଦାବି କରାଯାଇଛି। ଏପରିକି ୧୫ ବର୍ଷ ପୁରୁଣା ଅନେକ ଗାଡ଼ି ଆବଶ୍ୟକୀୟ ପଞ୍ଜୀକରଣ ନବୀକରଣ ବିନା ରାସ୍ତାରେ ଚଳାଚଳ କରୁଥିବା କୁହାଯାଇଛି। ସୂଚନାଯୋଗ୍ୟ, ଏହି ଯାନ ପୃଥକୀକରଣ ବ୍ୟବସ୍ଥା ଏପ୍ରିଲ ୧ରୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ କରିଥିଲେ।

Comments (0)
Add Comment