କଟକ,୦୧/୧୧(ପିପିଟି): ଦୀର୍ଘଦିନ ଧରି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶେଷରେ ସହମତିର ବାଟ ଫିଟିଛି। ରବିବାର ଅନୁଷ୍ଠିତ ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ନିର୍ବାଚନ କରାଇବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ତେବେ ଡିସେମ୍ବର ୨୪ରେ କଟକର ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପରେ ଓସିଏ କାଉନସିଲ୍ ନିର୍ବାଚନ ଅନୁଷ୍ଠିତ ହେବ। ବୈଠକରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଓ ଅନ୍ୟ ସଂସ୍ଥାର ୭୩ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି ଯେ ନିର୍ବାଚନ ସମ୍ପର୍କରେ ଖୁବ୍ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅନ୍ୟପଟେ, ନିର୍ବାଚନ ସମ୍ପର୍କିତ ମାମଲାର ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ରହିଥିବାରୁ ଏହା ପୂର୍ବରୁ ଓସିଏର ଏହି ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଉଛି।
ଏହି ବୈଠକକୁ ନିମନ୍ତ୍ରଣ ମିଳିନଥିବା ନେଇ ଓସିଏର ପ୍ରମୁଖ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଓସିଏ ସଭାପତି ଜାଣିବା ପରେ ତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥିବା ସେ କହିଛନ୍ତି। ଓସିଏ କାଉନସିଲ୍ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ସେ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସେମାନଙ୍କ ପରାମର୍ଶ ମିଳିଲେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସେ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି। ଓଡ଼ିଶା କ୍ରିକେଟ୍କୁ ନୂଆ ଶିଖରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ବୋଲି ଲଳିତେନ୍ଦୁ କହିଛନ୍ତି। ଏବେ ଡିସେମ୍ବର ୨୪ ପରେ ହେବାକୁ ଥିବା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ଓସିଏର ନେତୃତ୍ୱ କିଏ ନେବେ ଏବଂ ଲଳିତେନ୍ଦୁ ନିର୍ବାଚନ ଲଢ଼ିବେ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।