କେନ୍ଦ୍ରାପଡ଼ା,୦୧/୧୧(ପିପିଟି): କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବରେ ସାମିଲ ହେବା ସହ ଉତ୍ସବର ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମଧ୍ୟାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ। ଭସାଣି ଶୋଭାଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୋଭାଯାତ୍ରାର ସୁପରିଚାଳନା ଏବଂ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସମୀକ୍ଷା ସମୟରେ ଆଇଜି ଡ. ନାୟକ ପୂଜା ମଣ୍ଡପ, ଭସାଣି ଶୋଭାଯାତ୍ରା ମାର୍ଗ ଓ ବିସର୍ଜନ ସ୍ଥଳର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ନଜରଦାରୀ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଶୋଭାଯାତ୍ରା ସମୟରେ ଯାନବାହନ ଚଳାଚଳରେ ଯେପରି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଟ୍ରାଫିକ୍ ପରିଚାଳନା ଓ ଆବଶ୍ୟକ ସ୍ଥାନରେ ପୁଲିସ ମୁତୟନ ଉପରେ ଗୁରୁତ୍ୱ ଦେଇଥିଲେ। ଯେକୌଣସି ଅପ୍ରୀତିକର ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପୁଲିସ କର୍ମଚାରୀଙ୍କୁ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ପୁଲିସ, ଜିଲ୍ଲା ପ୍ରଶାସନ, ପୂଜା କମିଟି ଓ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଉତ୍ସବକୁ ଶୃଙ୍ଖଳିତ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଓ ଅପପ୍ରଚାର ପ୍ରତି ସତର୍କ ରହିବା ସହ ଅଯଥା ଗୁଜବରେ ବିଶ୍ୱାସ ନକରିବାକୁ ଆଇଜି ଜନସାଧାରଣଙ୍କୁ ନିବେଦନ କରିଥିଲେ। ପାରମ୍ପରିକ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବକୁ ଭାଇଚାରା, ସଦ୍ଭାବନା ଓ ଶାନ୍ତିର ପରିବେଶରେ ପାଳନ କରିବା ସହ ପୁଲିସ ପ୍ରଶାସନକୁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ।