ଦିଶା ବୈଠକରେ ୫ ବର୍ଷର ରୋଡମ୍ୟାପ୍‌ ପ୍ରସ୍ତୁତି ସହ ରେଳ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ।

ମାଲକାନଗିରି,୧୪/୦୭(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ, ସମନ୍ଵୟ ଓ ସମୀକ୍ଷା କମିଟି ବୈଠକ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ଏବଂ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ ଏବଂ ଏହାପରେ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟନ୍ୱୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ଅବସରରେ ସାଂସଦ ସମସ୍ତ ବିଭାଗକୁ ଜିଲ୍ଲାର ପ୍ରଗତି ପାଇଁ ଆଗାମୀ ୫ ବର୍ଷର ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ବହୁ ପ୍ରତିକ୍ଷିତ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରାଯାଇ ଏହି ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସାଂସଦ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଉଦ୍ଦେଶ୍ୟରେ ଆସନ୍ତା ଶନିବାର ଜିଲ୍ଲାର ୬୫ ଟି ଗ୍ରାମ ପଞ୍ଚାୟତରେ ଏବଂ ତା’ ପର ଶନିବାର ଅବଶିଷ୍ଟ ଗ୍ରାମ ପଞ୍ଚାୟତରେ ବିଶେଷ ସଚେତନତା ଶିବିର ଆୟୋଜନ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସିଏସସି କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ପଞ୍ଚାୟତ ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ଗ୍ରାମରେ ସଚେତନତା ସୃଷ୍ଟି କରି ଉକ୍ତ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବାକୁ କୁହାଯାଇଛି। ଏହା ସହିତ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ମୁଦ୍ରା ଲୋନ୍‌ ସମ୍ପର୍କରେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ଏହି ସମୀକ୍ଷା ବୈଠକରେ ଜଳ ସେଚନ, ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଟିପିଏସଓଡିଏଲ୍, ଗ୍ରାମ୍ୟ ଜଳ ଯୋଗାଣ, ଜନଜାତି ଉନ୍ନୟନ, ଶିକ୍ଷା, ଗ୍ରାମ୍ୟ ଗୃହ ନିର୍ମାଣ ଏବଂ ଜୀବନ ଜୀବିକା ଭଳି ପ୍ରମୁଖ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ତ ଭିତ୍ତିଭୂମି ବିଭାଗ ପରସ୍ପର ମଧ୍ୟରେ ଏକ ସମନ୍ୱୟ ବୈଠକ କରି ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟର ସାର୍ଟିଫିକେଟ୍ ସମ୍ପୃକ୍ତ ସରପଞ୍ଚ ପ୍ରଦାନ କରିବା ପରେ ହିଁ ସରକାରୀ ପାଣ୍ଠି ମଞ୍ଜୁର କରିବା ପାଇଁ କୁହାଯାଇଛି। ନିର୍ମାଣ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତା ଓ ମାନ ନିରୂପଣ ପାଇଁ ସମସ୍ତ ନିର୍ମାଣ ବିଭାଗ ମିଳିତ ଭାବେ ଜିଲ୍ଲାରେ ଏକ ଉନ୍ନତ ଟେଷ୍ଟିଙ୍ଗ ଲ୍ୟାବ୍ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଛି। ବୈଠକର ଶେଷରେ ସାଂସଦ ଶ୍ରୀ ମାଝୀ ବଦଳି ପ୍ରକ୍ରିୟାକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କୌଣସି ଅଧିକାରୀଙ୍କ ବଦଳି ସମୟରେ, ତାଙ୍କ ସ୍ଥାନରେ ନୂତନ ବିକଳ୍ପ ବା ସବ୍‌ଷ୍ଟିଚ୍ୟୁଟ୍ ଅଧିକାରୀ କାର୍ଯ୍ୟରେ ଯୋଗ ନ ଦେବା ପର୍ଯ୍ୟନ୍ତ, ସମ୍ପୃକ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ରିଲିଭ୍ ନ କରିବା ପାଇଁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ ଦୃଢ଼ ଭାବେ ନିର୍ଦ୍ଦେଶ ଦେଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment