ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ ଆରମ୍ଭ ।

କେନ୍ଦ୍ରାପଡ଼ା,୩୦/୧୦ : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକରେ ୧ କୋଟି ୬ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୧ଟି ପ୍ରକଳ୍ପର ବିଲ୍ ପୈଠକୁ ନେଇ ଏହି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ମୋଟ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ଅର୍ଥ ହେରଫେର ହୋଇଥିବା ଦର୍ଶାଯାଇଛି। ଏହି ଘଟଣାରେ ବ୍ଲକ୍ର ଜଣେ ବରିଷ୍ଠ କିରାଣୀ ଏବଂ ଜଣେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଉଠିଛି। ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଏ ସମ୍ପର୍କରେ ଡେରାବିଶ ବିଡିଓ ନମିତା ବାରିକଙ୍କୁ ଚିଠି ଲେଖି ଅବଗତ କରାଇବା ପରେ ବିଡିଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ତଥ୍ୟ ଓ ପ୍ରମାଣ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନମିତା ବାରିକ କହିଛନ୍ତି। ଅନ୍ୟପକ୍ଷରେ, ଅଭିଯୋଗରେ ନାମ ଉଠିଥିବା ବରିଷ୍ଠ କିରାଣୀ ଛୁଟିରେ ଥିବା ଜଣାପଡ଼ିଛି। ତେବେ ୧୧ଟି ପ୍ରକଳ୍ପର ବିଲ୍ ପୈଠରେ କେଉଁ ସ୍ତରରେ ଅନିୟମିତତା ହୋଇଛି, ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଅର୍ଥ କେଉଁ ପ୍ରକ୍ରିୟାରେ ହେରଫେର ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Comments (0)
Add Comment