ବୋଲଗଡ଼,୨୯/୧୦ (ପିପିଟି):ଅନେକ ବାତ୍ୟା ଆସିଛି, ଆହୁରି ଅନେକ ଆସିବ। ପବନ ବି ବହିବ, ଲଗାଣ ବର୍ଷା ବି ହେବ। କିନ୍ତୁ ପ୍ରତି ଥର ପ୍ରଶ୍ନ ସେଇ ଗୋଟିଏ ବୋଲଗଡ଼ର ଗରିବର ମାଟି କାନ୍ଥ କାହିଁକି ଭାଙ୍ଗେ ? ମା’ର ମୁଣ୍ଡ କାହିଁକି ଫାଟେ ? ଗତକାଲିର ଘଟଣା ଦିଆଁନିପାଟଣା ସାହି। ମଞ୍ଜୁଳତା ବରାଡ଼ଙ୍କ ମୁଣ୍ଡ ଫାଟି ରକ୍ତ ବୁହାଇଲା ପରେ ପ୍ରଶାସନର ନିଦ ଭାଙ୍ଗିଲା। ତହସିଲଦାର ଆସିଲେ, ବିଡ଼ିଓ ଆସିଲେ। ଭଙ୍ଗା କାନ୍ଥ ଦେଖିଲେ, ଦୁଃଖରେ ମ୍ରିୟମାଣ ହୋଇପଡିଲେ, ଫଟୋ ଉଠାଇଲେ, ସୋସିଆଲ୍ ମିଡିଆରେ ଛାଡିଲେ, ଜରିପାଲ୍ ଖଣ୍ଡେ ଦେଇ ଆବାସ ଯୋଜନାର ପ୍ରତିଶ୍ରୁତି ଦେଇ ବାହା ବାହା ନେଇ ଚାଲି ଆସିଲେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ତହସିଲଦାର ଓ ବିଡ଼ିଓ ମହୋଦୟ, ଆପଣମାନେ ଆଗରୁ ଜାଣି ନଥିଲେ କି ?
ଆପଣ ଯେଉଁ ବ୍ଲକରେ ଚାକିରି କରୁଛନ୍ତି, ସେହି ବ୍ଲକରେ କେତେ ଗରିବ ଶ୍ରେଣୀର ଲୋକ ଅଛନ୍ତି, କେତେ ଚାଳଛପର ମାଟିଘର ଅଛି, କେତେ ଲୋକ ଆବାସ ଯୋଜନା ପାଇଁ ଯୋଗ୍ୟ ଏହାର ତଥ୍ୟ ଆପଣଙ୍କ ଟେବୁଲ ଉପରେ ନାହିଁ କି ? ନା ତଥ୍ୟ କେବଳ ଫାଇଲରେ, ବାସ୍ତବତା ବିଲରେ ? ପ୍ରତି ବାତ୍ୟା ପରେ ଜରିପାଲ୍ ମିଳେ, ଫଟୋ ଉଠେ, କିନ୍ତୁ ସେହି ଗରିବ ଲୋକଟି ଆବାସ ପାଇଲା କି ନାହିଁ, ତା’ର ଫଲୋଅପ୍ କିଏ କରେ ? ଜରିପାଲ୍ ଖଣ୍ଡେ ଦେଇ ପ୍ରତିଶ୍ରୁତି ଦେବା କ’ଣ ବାହା ବାହା ନେବାର ଶୌକ ? କେବଳ ପ୍ରାକୃତିକ ବିପର୍ଯ୍ୟୟ ବେଳେ ହିଁ ଗରିବ ମନେ ପଡେ କି ?
ବର୍ଷା ନ ହେଲେ, କାନ୍ଥ ନ ଭାଙ୍ଗିଲେ, ମୁଣ୍ଡ ନ ଫାଟିଲେ ଆପଣମାନେ ସେହି ସାହିକୁ ଯାଆନ୍ତି କି ? ନା ସାହିର ରାସ୍ତା କେବଳ ବାତ୍ୟା ବେଳେ ହିଁ ଜଣା ପଡେ ? ଫଟୋ ପଲିଟିକ୍ସ ନା ସେବା ? ଭଙ୍ଗା ଘର ସାମ୍ନାରେ ଠିଆ ହୋଇ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିବା ଦ୍ୱାରା ଗରିବର ପେଟ ପୂରିବ କି ? ତା’ର ଛାତ ଯୋଡା ହେବ କି ? ଲୋକଙ୍କୁ ପ୍ରଚାର ନୁହେଁ, ପ୍ରତିକାର ଦରକାର।
ଯଦି ଦିଆଁନିପାଟଣା ପରି ବୋଲଗଡ଼ ଅଞ୍ଚଳରେ ଶହ ଶହ ପରିବାର ଆଜି ବି ମାଟି ଘରେ ଅଛନ୍ତି, ତେବେ ଏତେ ଦିନର ଆବାସ ଲିଷ୍ଟ ଗଲା କେଉଁଠି ? ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଛି କି ନାହିଁ, ତା’ର ସମୀକ୍ଷା କେବେ ହେବ? ମଞ୍ଜୁଲତାଙ୍କ ମୁଣ୍ଡରୁ ରକ୍ତ ବହିଲା, ତା’ ପରେ ଆପଣ ଆସିଲେ। ଭଲ କଥା। କିନ୍ତୁ ଆଉ କେତେ ମା’ର ମୁଣ୍ଡ ଫାଟିଲେ ଆପଣ ପୁରା ବୋଲଗଡ଼ର ଚାଳଘର ଲିଷ୍ଟ କରି ସ୍ଥାୟୀ ସମାଧାନ କରିବେ ? ଜରିପାଲ୍ ଖଣ୍ଡେ ନୁହେଁ, ଇଟା ଖଣ୍ଡେ ଦରକାର। ପ୍ରତିଶ୍ରୁତି ନୁହେଁ, ଘର ଦରକାର। ବାତ୍ୟା ଅର୍ଣ୍ଣବ ଚାଲିଯିବ, କିନ୍ତୁ ଏହି ପ୍ରଶ୍ନ ରହିବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।