ବୋଲଗଡ଼ , ୨୨/୧୧ (ପିପିଟି):ମଞ୍ଚ ଉପରେ ନେତା ଭାଷଣ ଦିଅନ୍ତି “ଶିଶୁ ହେଉଛି ଦେଶର ଭବିଷ୍ୟତ, ଶିଶୁ ହସିଲେ ଦେଶ ହସିବ।” ହେଲେ ମଞ୍ଚ ତଳେ ବାସ୍ତବତା କଣ ? ବୋଲଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟକୁ ଆସନ୍ତୁ, ଦେଖିବେ ଭବିଷ୍ୟତ କେମିତି ପାଇଖାନା ଟାଙ୍କି ଉପରେ ବସି ଭାତ ଖାଉଛି।
ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୁହନ୍ତି ପିଲାଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଦେଉଛୁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ ୨୮ଟି ସ୍କୁଲରେ ଏହି ଯୋଜନା ଚାଲିଛି। କିନ୍ତୁ ଯେଉଁ ଖାଦ୍ୟ ପିଲା ଖାଉଛି, ତାର ପରିବେଶ କଣ? ଖେଳ ପଡ଼ିଆର ଧୂଳି, ପାଇଖାନା ଟାଙ୍କି ଉପର, ନାଚ ମଣ୍ଡପ, ସ୍କୁଲ ବାରଣ୍ଡା ଓ ପାଦଚଲା ରାସ୍ତା ଉପରେ। ଏହା ପୁଷ୍ଟି ନା ସଂକ୍ରମଣକୁ ଡାକରା ?
ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଦଶମ ଯାଏଁ ୩୦୦ ପୁଅ ଝିଅ ପଢୁଛନ୍ତି। ମଧ୍ୟାହ୍ନ ହେଲେ ସେମାନେ ଥାଳି ଧରି ଜାଗା ଖୋଜନ୍ତି।
ମନ୍ତ୍ରୀ ଆସିବେ, ବିଧାୟକ ଆସିବେ, ଶିକ୍ଷା ସଚିବ, ନିର୍ଦ୍ଦେଶକ ଭାଷଣ ଦେବେ – “ଆମେ ଶିଶୁ ବତ୍ସଳ”। ହେଲେ କେହି ଏହି ସ୍କୁଲକୁ ଯାଇ ଦେଖିଛନ୍ତି କି, କେମିତି ଛାତ୍ର ଛାତ୍ରୀ ପାଇଖାନା ପାଖରେ ବସି ଖାଉଛନ୍ତି ? ଯଦି କାଲି ଡାଇରିଆ, ଝାଡା ବାନ୍ତି, ଟାଇଫଏଡ୍ ବ୍ୟାପେ, ତେବେ ଉତ୍ତର ଦେବ କିଏ ?
ଏହା କେବଳ ବୋଲଗଡ଼ ବାଳିକା ସ୍କୁଲର କଥା ନୁହେଁ, ଏହା ସମଗ୍ର ଶିକ୍ଷା ବ୍ୟବସ୍ଥାର ଲଜ୍ଜା। ତୁରନ୍ତ ଏଠି ଗୋଟିଏ ସ୍ଥାୟୀ ମଧ୍ୟାହ୍ନ ଭୋଜନ ସେଡ୍ ନିର୍ମାଣ କରାଯାଉ, ଅସ୍ୱାସ୍ଥ୍ୟକର ପରିବେଶରୁ କୋମଳମତି ଶିଶୁଙ୍କୁ ମୁକ୍ତି ଦିଆଯାଉ – ଏହାହିଁ ଅଭିଭାବକଙ୍କ ଦାବି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ