ରାଜ୍ୟର ଷଷ୍ଠ ସ୍ଥାନରେ ଭଞ୍ଜନଗର ରୋଟାରୀ କ୍ଲବ; ଗୋଟିଏ ବର୍ଷରେ ୫୮ଟି ସେବାକାର୍ଯ୍ୟ ।

ଭଞ୍ଜନଗର, ୨୨/୧୧(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ସଦା ସର୍ବଦା ଗରୀବ ଓ ଅସହାୟ ଲୋକଙ୍କୁ ସେବା ଯୋଗାଇ ଦେବା ସହ ସମାଜ କଲ୍ୟାଣ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ପୂର୍ବତନ ସଭାପତି ରଞ୍ଜିତ କୁମାର ବାରିକଙ୍କ ପ୍ରଚେଷ୍ଟାରେ ମୋଟ ୫୮ଟି ଜନହିତକର ସେବା କାର୍ଯ୍ୟ ସମ୍ପାଦନ କରିଥିଲେ।ଯାହା ଫଳରେ ଭଞ୍ଜନଗର ରୋଟାରୀ କ୍ଲବ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀ ଜିଲା ୩୨୬୨ର ଶ୍ରେଷ୍ଠ କ୍ଲବ ତାଲିକାରେ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି ଗୌରବ ହାସଲ କରିଛି।ଏହି ସଫଳତା କୁ ନେଇ ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ରବିବାର ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରେ ଜିଲ୍ଲା ପୁରସ୍କାର ଉତ୍ସବ ପାଳନ କରାଯାଇଛି।ଏଥିରେ କ୍ଲବର ସଦସ୍ୟମାନେ ଏକତ୍ରିତ ହୋଇ କେକ୍ କାଟି ଉତ୍ସବ ପାଳନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଭଞ୍ଜନଗର ରୋଟାରୀ କ୍ଲବ ସ୍ଥାନୀୟ ଜନସାଧାରଣଙ୍କ ସେବାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ସଫଳତା ବଜାୟ ରଖିବ ବୋଲି ମତ ପ୍ରକାଶ ପାଇଛି। କ୍ଲବ ସଭାପତି କେ. ସଞ୍ଜୀବ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୨୦୨୫-୨୬ ବର୍ଷର ସଭାପତି ରଞ୍ଜିତ ବାରିକ ଏବଂ କ୍ଲବର ପ୍ରାକ୍ତନ ସମ୍ପାଦକ ଏସ. ଗୁପ୍ତେଶ୍ୱର ସୁବୁଦ୍ଧି ଯୋଗଦେଇ ସମସ୍ତଙ୍କ ସହଯୋଗରେ କ୍ଲବକୁ ଏହି ସଫଳତା ମିଳିଛି ବୋଲି କହିଥିଲେ। ପୂର୍ବତନ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାକୁ ଆଗାମୀ ସଭାପତି ରାମଚନ୍ଦ୍ର ମିଶ୍ର ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ବସନ୍ତ କୁମାର ପାତ୍ର, ପୂର୍ବତନ ସମ୍ପାଦକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଓ ସୁଧୀର ପାଣିଗ୍ରାହୀ ପ୍ରମୁଖ ପରିଚାଲନା କରିବାରେ ସହଯୋଗ କରିଥିଲେ। ଶେଷରେ କ୍ଲବ ସମ୍ପାଦକ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment