ବ୍ରହ୍ମପୁର,୨୨/୧୧(ପିପିଟି): ବିନା ନୋଟିସ୍ରେ ଖାଉଟିଙ୍କ ଉପରେ ମନମୁଖୀ ଭାବେ ପୁରୁଣା ବକେୟା ବିଦ୍ୟୁତ୍ ବିଲ୍ ଲଦିବା ଟିପି ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPSODL)କୁ ମହଙ୍ଗା ପଡ଼ିଛି । ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଛତ୍ରପୁରର ଜଣେ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ନାମରେ ଜାରି ହୋଇଥିବା ୫୭,୪୮୭ ଟଙ୍କାର ବକେୟା ବିଲ୍କୁ ସମ୍ପୂର୍ଣ୍ଣ ବାତିଲ୍ କରିଦେଇଛନ୍ତି । ଏହାସହ ମାନସିକ ନିର୍ଯାତନା ଓ ସେବାରେ ତ୍ରୁଟି ପାଇଁ କମ୍ପାନୀକୁ ୧୦,୦୦୦ ଟଙ୍କା କ୍ଷତିପୂରଣ ଏବଂ ୫,୦୦୦ ଟଙ୍କା ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ପୃଷ୍ଠଭୂମି: ଛତ୍ରପୁର ଅଞ୍ଚଳର କବିରାଜ ଚର୍ଚ୍ଚୀଙ୍କ ସ୍ୱର୍ଗତ ପିତା ନିତ୍ୟାନନ୍ଦ ଚର୍ଚ୍ଚୀଙ୍କ ନାମରେ ଏକ ଘରୋଇ ବିଦ୍ୟୁତ୍ ସଂଯୋଗ (ଉପଭୋକ୍ତା ନଂ- ୨୧୧୧୦୨୩୬୦୦୮୬) ରହିଛି। ସେମାନେ ନିୟମିତ ଭାବେ ବିଦ୍ୟୁତ୍ ବିଲ୍ ପୈଠ କରିଆସୁଥିଲେ । ତେବେ ୨୦୨୨ ମସିହା ଜୁଲାଇ ୭ ତାରିଖରେ ଜାରି ହୋଇଥିବା ବିଲ୍ରେ ହଠାତ୍ ୫୭,୪୮୭ ଟଙ୍କାର ବକେୟା (Arrear) ଦେଖାଇଥିଲା। ପରବର୍ତ୍ତୀ ସମୟରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଜଣାଯାଇଥିଲା ଯେ, ୨୦୧୯ ଫେବୃଆରୀରୁ ୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ମିଟର ଖରାପ ଥିବାରୁ ନୂଆ ମିଟର ଲାଗିବା ପରର ହାରାହାରି ୟୁନିଟ୍କୁ ଆଧାର କରି ୫୪,୫୪୫.୯୬ ଟଙ୍କାର ଅତିରିକ୍ତ ଦେୟ (Sundry Adjustment) ଯୋଡ଼ାଯାଇଛି । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାର ଧମକ ଦିଆଯିବାରୁ କବିରାଜ ବାଧ୍ୟ ହୋଇ ମାମଲା ବିଚାରାଧୀନ ଥିବା ସମୟରେ ୨୦.୦୩.୨୦୨୬ରେ ପ୍ରତିବାଦ ଜଣାଇ ୧୩,୬୫୦ ଟଙ୍କା ଜମା କରିଥିଲେ । ଏହାର ନ୍ୟାୟ ପାଇଁ ସେ ଗଞ୍ଜାମ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଖାଉଟି ଅଭିଯୋଗ ୩୨ / ୨୦୨୪ ଦାଖଲ କରିଥିଲେ ।
ଆୟୋଗଙ୍କ ପର୍ଯ୍ୟବେକ୍ଷଣ ଓ ରାୟ: ଆୟୋଗର ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକ ଉଭୟ ପକ୍ଷର ଯୁକ୍ତି ଓ ଦସ୍ତାବିଜ୍ ଅନୁଧ୍ୟାନ କରି ବିଦ୍ୟୁତ୍ ବିଭାଗର କାର୍ଯ୍ୟକଳାପକୁ ଅସାଧୁ ବାଣିଜ୍ୟିକ କାରବାର ଓ ‘ସେବାରେ ତ୍ରୁଟି’ ବୋଲି ଦର୍ଶାଇଛନ୍ତି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ସପ୍ଲାଏ କୋଡ୍, ୨୦୧୯ ର ନିୟମ ୧୫୫ ଅନୁଯାୟୀ, ଖରାପ ମିଟରକୁ ୩ ମାସ ମଧ୍ୟରେ ବଦଳାଇବା ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗ ନିଜର ଅବହେଳା ଯୋଗୁଁ ୨୪ ମାସ ଧରି ମିଟର ବଦଳାଇ ନଥିଲା ଏବଂ ବିନା କୌଣସି ପୂର୍ବ ନୋଟିସ୍ ବା ଶୁଣାଣିରେ ମନମୁଖୀ ଭାବେ ଦୁଇ ବର୍ଷ ପରେ ଏତେ ବଡ଼ ଅଙ୍କର ବିଲ୍ ଲଦି ଦେଇଥିଲା ।
ଗତ ନଭେମ୍ବର ୯ ତାରିଖରେ ଆୟୋଗ ଏହି ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି,ବିଲ୍ ବାତିଲ୍: ୫୪,୫୪୫.୯୬ ଟଙ୍କାର ଅତିରିକ୍ତ ଦେୟ ସମେତ ମୋଟ ୫୭,୪୮୭ ଟଙ୍କାର ବକେୟା ବିଲ୍କୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି । ଆଦେଶ ପାଇବାର ୩୦ ଦିନ ମଧ୍ୟରେ ବିଭାଗୀୟ ଖାତାରୁ ଏହି ବକେୟା ଓ ସୁଧ କାଟି ସଂଶୋଧିତ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଟଙ୍କା ଫେରସ୍ତ: ଉପଭୋକ୍ତା ପ୍ରତିବାଦ ଜଣାଇ ଜମା କରିଥିବା ୧୩,୬୫୦ ଟଙ୍କାକୁ ୩୦ ଦିନ ମଧ୍ୟରେ ଫେରସ୍ତ କରିବାକୁ କିମ୍ବା ଯଦି ଅଭିଯୋଗକାରୀ ଚାହାନ୍ତି, ତେବେ ଏହି ଅର୍ଥରାଶିକୁ ତାଙ୍କର ପରବର୍ତ୍ତୀ ବିଦ୍ୟୁତ୍ ବିଲ୍ଗୁଡ଼ିକରେ ଆଡଜଷ୍ଟ କରାଯାଇପାରିବ; ସେଭଳି କ୍ଷେତ୍ରରେ ଆଗାମୀ ଲଗାତାର ଦୁଇଟି ବିଲିଂ ଚକ୍ର ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଆଡଜଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି ।
କ୍ଷତିପୂରଣ ଓ ଖର୍ଚ୍ଚ: TPSODL ପକ୍ଷରୁ ଅଭିଯୋଗକାରୀଙ୍କୁ ୧୦,୦୦୦ ଟଙ୍କା କ୍ଷତିପୂରଣ ଏବଂ ୫,୦୦୦ ଟଙ୍କା ମାମଲା ଖର୍ଚ୍ଚ ବାବଦକୁ ୪୫ ଦିନ ମଧ୍ୟରେ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଅର୍ଥ ପୈଠ ନକଲେ ମାମଲା ରୁଜୁ ତାରିଖ (୧୯.୦୩.୨୦୨୪)ଠାରୁ ବାର୍ଷିକ ୯% ସୁଧ ଦେବାକୁ ପଡ଼ିବ ।
ବିଦ୍ୟୁତ୍ କାଟ ଉପରେ ରୋକ୍, ଏହି ବାତିଲ୍ ହୋଇଥିବା ବକେୟା ବିଲ୍ ଆଧାରରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଛତ୍ରପୁର ନିର୍ବାହୀ ଯନ୍ତ୍ରୀ ଓ ଉପ-ଖଣ୍ଡ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।