ବେଗୁନିଆପଡା,୨୨/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧୀନରେ ଥିବା ସାର୍ବଜନୀନ ଶୌଚାଳୟ ପୁଣିଥରେ ବନ୍ଦ ହୋଇପଡ଼ିଛି। ପୂର୍ବରୁ ମଧ୍ୟ ଦୀର୍ଘଦିନ ଧରି ଏହି ଶୌଚାଳୟ ବନ୍ଦ ରହିଥିବା ନେଇ ଖବର ପ୍ରସାରଣ ହେବା ପରେ ଏହାକୁ ଖୋଲାଯାଇଥିଲା। ହେଲେ କିଛି ଦିନ ପରେ ପୁଣି ତାଲା ଝୁଲିବା ଘଟଣା ଏନଏସିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି। ସାର୍ବଜନୀନ ଶୌଚାଳୟ ବନ୍ଦ ରହିବା ଯୋଗୁଁ ଦୈନନ୍ଦିନ କାମରେ ଆସୁଥିବା ଲୋକ, ଯାତ୍ରୀ ଏବଂ ବିଶେଷକରି ମହିଳାମାନେ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଖବର ପ୍ରସାରଣ ପରେ ଶୌଚାଳୟ ଖୋଲାଯାଇଥିଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ କାହିଁକି ହୋଇପାରୁନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ଶୌଚାଳୟ ବାରମ୍ବାର ବନ୍ଦ ହେବାର କାରଣ କ’ଣ? ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ କାହାର? ଏନେଇ କୋଦଳା ଏନଏସି କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ଶୌଚାଳୟକୁ ନିୟମିତ ଖୋଲା ରଖିବା ସହ ସ୍ଥାୟୀ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ