ଯାଜପୁର,୩୦/୧୦(ପିପିଟି ): ଶିଶୁଶ୍ରମିକ ମୁକ୍ତ ଜିଲ୍ଲା ଗଠନ ଲକ୍ଷ୍ୟରେ ଚାଲିଥିବା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନର ଅଂଶସ୍ୱରୂପ ଆଜି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅମ୍ବର କୁମାର କର ଏହି ସଚେତନତା ରଥକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।
ଏହି ସଚେତନତା ରଥ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍, ପଞ୍ଚାୟତ ଓ ଗ୍ରାମାଞ୍ଚଳ ପରିକ୍ରମା କରି ଶିଶୁଶ୍ରମିକ ପ୍ରଥାର କୁପରିଣାମ, ଶିଶୁମାନଙ୍କ ଶିକ୍ଷା ଓ ସୁରକ୍ଷାର ଗୁରୁତ୍ୱ ତଥା ଶିଶୁଶ୍ରମିକ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ। ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ ନକରି ସେମାନଙ୍କୁ ଶିକ୍ଷା, ସୁରକ୍ଷା ଓ ଉପଯୁକ୍ତ ଶୈଶବ ପ୍ରଦାନ କରିବା ଦିଗରେ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଭାଗିଦାରୀ ଆବଶ୍ୟକ ବୋଲି ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଶିଶୁ ମଙ୍ଗଳ କମିଟି (CWC) ଅଧ୍ୟକ୍ଷ ଦିବ୍ୟଭୂଷଣ ମହାନ୍ତି, ଶ୍ରମ ବିଭାଗର ଯୁଗ୍ମ ଶ୍ରମ କମିଶନର,ଶିବଶଙ୍କର ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ,ଜିଲ୍ଲା ଶ୍ରମ ଅଧିକାରୀ, ଏନ୍ଫୋର୍ସମେଣ୍ଟ ଦୀପ୍ତିରଞ୍ଜନ ସାହୁ , ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଙ୍କ ସମେତ ଶ୍ରମ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଶିଶୁଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଯାଜପୁରକୁ ଏକ ଶିଶୁଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।