ଛତ୍ରପୁରରେ ଘରୋଇ ହିଂସା ଓ ପୋଷ୍ ଆଇନ ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ।

ଛତ୍ରପୁର,୦୮/୦୯(ପିପିଟି): ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଜଉଗଡ ସମ୍ମିଳନୀ କକ୍ଷରେ ଘରୋଇ ହିଂସା ନିରୋଧ ଆଇନ ଏବଂ କାର୍ଯ୍ୟସ୍ଥଳୀରେ ମହିଳା ଯୌନ ନିର୍ଯାତନା ନିରୋଧ, ନିଷେଧ ଓ ନିରାକରଣ ଆଇନ (ପୋଷ୍) ସମ୍ପର୍କିତ ଏକ ଦିବସୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ କହିଥିଲେ ଯେ, ଅନ୍ୟାୟ ବିରୋଧରେ ଜାଣିଶୁଣି ଚୁପ୍ ରହିବା ସବୁଠାରୁ ବଡ଼ ଅପରାଧ। ମହିଳାଙ୍କ ସୁରକ୍ଷା ପାଇଁ ନିରାକରଣ ଅପେକ୍ଷା ପ୍ରତିରୋଧ ହିଁ ସର୍ବୋତ୍ତମ ପଦକ୍ଷେପ। ସମସ୍ତ ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ସହ ସଚେତନତାମୂଳକ ସାଇନେଜ୍ ପ୍ରଦର୍ଶନ ଏବଂ ଅଭିଯୋଗର ସମୟୋଚିତ ଫଇସଲା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଏପର୍ଯ୍ୟନ୍ତ ୫୪୦ଟି ପ୍ରତିଷ୍ଠାନରେ ଆଇସିସି ଗଠନ ହୋଇଛି । ୧୦ କିମ୍ବା ଅଧିକ କର୍ମଚାରୀ ଥିବା ସମସ୍ତ ପ୍ରତିଷ୍ଠାନରେ ଆଇସିସି ଗଠନ ଓ ‘ସି-ବକ୍ସ’ ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ । ପ୍ରତ୍ୟେକ କମିଟିରେ ଅତିକମରେ ୪ ଜଣ ସଦସ୍ୟ ରହିବେ ଏବଂ ଅଭିଯୋଗର ତଦନ୍ତ ୯୦ ଦିନ ମଧ୍ୟରେ ଶେଷ କରିବାର ବ୍ୟବସ୍ଥା ରହିଛି। ନିୟମ ଉଲ୍ଲଂଘନ କ୍ଷେତ୍ରରେ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ବ୍ରହ୍ମପୁର ଡିଏସପି ଶ୍ରୁତିପ୍ରଭା ପ୍ରଧାନ କହିଥିଲେ ଯେ, କେବଳ କଠୋର ଆଇନ ନୁହେଁ, ମହିଳାମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହୋଇ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଗଞ୍ଜାମ ଡିଏସପି ଜ୍ୟୋସ୍ନା କାଉଁରୀ ଭୟ ଓ ଲୋକଲଜ୍ଜା ତ୍ୟାଗ କରି ଡିଭି ଓ ପୋଷ୍ ଆଇନ ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ।

ଛତ୍ରପୁର ଏସ୍‌ଡିଏମ୍‌ଓ ଡା. ଅଲେଖ ପ୍ରଧାନ ମହିଳାଙ୍କୁ ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ଯୋଗାଇଦେବା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି କହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ମହିଳାମାନେ ଅବଳା ନୁହନ୍ତି, ସେମାନେ ସ୍ୱୟଂସକ୍ଷମ ଓ ସଶକ୍ତ ବୋଲି ମତପ୍ରକାଶ କରିଥିଲେ ।

ଅସହାୟ ଓ ନିର୍ଯାତିତ ମହିଳାଙ୍କ ସହାୟତା ପାଇଁ ଜିଲ୍ଲାରେ ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ ଓ ଡିଏଲ୍‌ଏସ୍‌ଏ କାର୍ଯ୍ୟ କରୁଛି । ଜରୁରୀ ପରିସ୍ଥିତିରେ ୧୧୨, ମହିଳା ହେଲ୍ପଲାଇନ୍ ୧୮୧ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ୧୪୪୧୬ ‘ଟେଲି-ମାନସ’ର ସହାୟତା ନେବାକୁ ନିବେଦନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ସଶକ୍ତୀକରଣ କେନ୍ଦ୍ରର ସଂଯୋଜିକା ଗୀତାଞ୍ଜଳି ମହାରଣା ସଂଯୋଜନା କରିଥିଲେ। ସମସ୍ତ ବ୍ଲକର ସିଡିପିଓ,ସୁପରଭାଇଜର,ଶକ୍ତି ସଦନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ ।

Comments (0)
Add Comment