ଭଞ୍ଜନଗର,୨୭/୧୧(ପିପିଟି): ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥିସହ ଭଞ୍ଜନଗର ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ଉତ୍କୃଷ୍ଟ ଓ ପ୍ରେରଣାଦାୟୀ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ ବାତ୍ୟା ଅର୍ଣ୍ଣବ ଓ ବାତ୍ୟା ଅକଭାନର ପ୍ରଭାବରେ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ପୂର୍ବରୁ, ସମୟରେ ଏବଂ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀମାନେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ସମସ୍ତଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଏସ୍.ଏନ୍.ଗିରିଶ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଡ. ମୃଣାଳିନୀ ଦର୍ଶୱାଲ, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବରିଷ୍ଠ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ସଫଳତା ପାଇଁ ଗଞ୍ଜାମର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାକାନ୍ତ ସାହୁ,ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଏବଂ ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତଙ୍କ ସମ୍ମିଳିତ ଉଦ୍ୟମ, ନିଷ୍ଠା ଓ ସମର୍ପଣ ଭାବ ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି ଆଦର୍ଶ ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସଫଳତା ପଛରେ ଗଞ୍ଜାମ ଜିଲ୍ଲାର ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମନ୍ୱୟକାରୀ ଏବଂ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଯୁଗ୍ମ ହସ୍ପିଟାଲ ପରିଚାଳକଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ରହିଛି ।
ରିପୋର୍ଟ- ଜେ.କେ.ପଟ୍ଟନାୟକ ।