ବ୍ରହ୍ମପୁର ଜିଲ୍ଲା ଖାଉଟି ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଅଜାଣତରେ ହୋଇଥିବା ମାଇକ୍ରୋଫାଇନାନ୍ସ ଋଣ ବାତିଲ ଓ କ୍ଷତିପୂରଣ ନିର୍ଦ୍ଦେଶ ।
ବ୍ରହ୍ମପୁର;୨୪/୧୧(ପିପିଟି): ଜଏଣ୍ଟ ଲାଏବିଲିଟି ଗ୍ରୁପ୍ (JLG) ମାଇକ୍ରୋଫାଇନାନ୍ସ ଋଣ ବ୍ୟବସ୍ଥାରେ ଗ୍ରାହକଙ୍କ ଅଜାଣତରେ ବା ଭୁଲ ବୁଝାଇ ବାୟୋମେଟ୍ରିକ୍ ଟିପଚିହ୍ନ ନେଇ ଋଣ ମଞ୍ଜୁର ଓ କାରବାର ମାମଲାରେ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (DCDRC), ଗଞ୍ଜାମ,ବ୍ରହ୍ମପୁର ଦୁଇଟି ପୃଥକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି । ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକ ୧୬.୧୧.୨୦୨୬ ତାରିଖରେ ଉଭୟ ଅଭିଯୋଗକୁ ମଞ୍ଜୁର କରି ଭାରତ ଫାଇନାନ୍ସିଆଲ୍ ଇନକ୍ଲୁଜନ୍ ଲିମିଟେଡ୍ (BFIL) ବିରୋଧରେ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ମାମଲା-୧: କାମିନୀଲତା ସାହୁ ବନାମ ଭାରତ ଫାଇନାନ୍ସିଆଲ୍ ଇନକ୍ଲୁଜନ୍ ଲିମିଟେଡ୍ ଓ ଅନ୍ୟାନ୍ୟ (CC No. 93/2023)
ଘଟଣାର ପୃଷ୍ଠଭୂମି: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ କଂସାରୀ ସାହିର ବୟସ୍କା ବିଧବା ଫୁଲ ବିକାଳି କାମିନୀଲତା ସାହୁ (୫୭) ପୂର୍ବ ଋଣ ବନ୍ଦ ହେଉଛି ବୋଲି କୁହାଯିବା ପରେ ୧୯.୦୮.୨୦୨୨ ତାରିଖରେ ବାୟୋମେଟ୍ରିକ୍ ଡିଭାଇସରେ ବାମ ହାତ ବୁଢ଼ା ଆଙ୍ଗୁଠି ଛାପ ଦେଇଥିଲେ । ମାତ୍ର ତାଙ୍କ ଅଜାଣତରେ ତାଙ୍କ ନାମରେ ୨୫,୯୪୦ ଟଙ୍କାର ଚତୁର୍ଥ ଋଣ (MFI-4/25940) ମଞ୍ଜୁର ହୋଇଥିବା ସେ ପରେ ଜାଣିବାକୁ ପାଇଥିଲେ ।
ଆୟୋଗଙ୍କ ନିଷ୍କର୍ଷ: ପ୍ରାଗତି ପୋର୍ଟାଲରେ ଆଧାର KYC “Not Verified” ଥିବା, ଋଣ ଅର୍ଥ ଗ୍ରାହକ ଖୋଲି ନଥିବା ବ୍ୟାଙ୍କ ଖାତାକୁ ଯାଇଥିବା, ବିଳମ୍ବିତ ରାତିରେ ଏକ “Dormant” ମର୍ଚାଣ୍ଟ ପଏଣ୍ଟରୁ AEPS ମାଧ୍ୟମରେ ଉଠାଣ ଦର୍ଶାଯାଇଥିବା ଏବଂ ପ୍ରତି ଋଣରେ ଭିନ୍ନ ଭିନ୍ନ ଅପରିଚିତ ମୋବାଇଲ୍ ନମ୍ବର ରହିଥିବା ପ୍ରମାଣରୁ ଋଣରେ ଗ୍ରାହକଙ୍କ ସମ୍ମତି ନଥିବା ଆୟୋଗ ସ୍ପଷ୍ଟ କରିଛନ୍ତି । ଏହାକୁ ସେବାରେ ତ୍ରୁଟି ଓ ଅନୁଚିତ ବାଣିଜ୍ୟ ଅଭ୍ୟାସ ବୋଲି ଆୟୋଗ କହିଛନ୍ତି ।
ଚୂଡ଼ାନ୍ତ ନିର୍ଦ୍ଦେଶ:୨୫,୯୪୦ ଟଙ୍କାର MFI-4/25940 ଋଣକୁ ସମ୍ପୂର୍ଣ୍ଣ ରୂପେ ବାତିଲ ଓ ଅସିଦ୍ଧ ଘୋଷଣା କରାଯାଇଛି ।
୨୩,୨୦୩ ଟଙ୍କା ବକେୟା କିମ୍ବା ଅନ୍ୟ କୌଣସି ଦେୟ ଦାବି କିମ୍ବା ଆଦାୟ ଉପରେ ସ୍ଥାୟୀ କଟକଣା ଲାଗିଛି ।
CIBIL ଓ CRIF High Mark ସମେତ ସମସ୍ତ କ୍ରେଡିଟ୍ ସୂଚନା ସଂସ୍ଥାରେ ଋଣ ଦେୟ “NIL” ଦର୍ଶାଇ ପ୍ରତିକୂଳ ତଥ୍ୟ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୬.୦୮.୨୦୨୨ରୁ ୧୭.୧୨.୨୦୨୨ ମଧ୍ୟରେ ଜମା ହୋଇଥିବା ୬,୮୦୦ ଟଙ୍କା ଅଭିଯୋଗକାରିଣୀଙ୍କ ଇଚ୍ଛାନୁସାରେ ଅନ୍ୟ ତିନୋଟି ସ୍ୱୀକୃତ ଋଣରେ ସମନ୍ୱୟ କିମ୍ବା ଫେରସ୍ତ କରିବାକୁ କୁହାଯାଇଛି ।
ମାନସିକ ଯନ୍ତ୍ରଣା ଓ ହଇରାଣ ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ୪୫ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି; ଖିଲାପ କଲେ ୨୪.୦୮.୨୦୨୩ରୁ ବାର୍ଷିକ ୯% ସୁଧ ଲାଗୁ ହେବ।
ମାମଲା-୨: ରିଙ୍କି ସାହୁ ବନାମ ଭାରତ ଫାଇନାନ୍ସିଆଲ୍ ଇନକ୍ଲୁଜନ୍ ଲିମିଟେଡ୍ ଓ ଅନ୍ୟାନ୍ୟ (CC No. 95/2023)
ଘଟଣାର ପୃଷ୍ଠଭୂମି: କଂସାରୀ ସାହିର ରିଙ୍କି ସାହୁ (୩୩) ଅଭିଯୋଗ କରିଥିଲେ ଯେ ୧୫.୦୭.୨୦୨୨ ତାରିଖରେ ଆକାଉଣ୍ଟ ବନ୍ଦ ହେଉଛି ବୋଲି କହି ତାଙ୍କ ବାୟୋମେଟ୍ରିକ୍ ନିଆଯାଇଥିଲା ଏବଂ ତାଙ୍କ ଅଜାଣତରେ ୧୧,୨୨୦ ଟଙ୍କାର ଋଣ (MFI-3/11220) ସୃଷ୍ଟି କରାଯାଇଥିଲା ।
ଆୟୋଗଙ୍କ ନିଷ୍କର୍ଷ: ଅଳ୍ପ ସାକ୍ଷର ଗ୍ରାହକଙ୍କୁ ଋଣ ସର୍ତ୍ତାବଳୀ ବୁଝାଯାଇ ନଥିବା, ଆୟ ବା ପରିଶୋଧ କ୍ଷମତାର ଆକଳନ ନଥିବା, OTP ପ୍ରାପ୍ତିର ପ୍ରମାଣ ନଥିବା ଏବଂ AEPS ଉଠାଣ ଓ CCTV/ମର୍ଚାଣ୍ଟ ତଥ୍ୟ ଦାଖଲ ନକରିବା କାରଣରୁ ଋଣଟି ମୁକ୍ତ ଓ ସଚେତନ ସମ୍ମତିରେ ହୋଇନଥିବା ଆୟୋଗ ରାୟ ଦେଇଛନ୍ତି ।
ଚୂଡ଼ାନ୍ତ ନିର୍ଦ୍ଦେଶ:
୧୫.୦୭.୨୦୨୨ ତାରିଖର ୧୧,୨୨୦ ଟଙ୍କାର MFI-3 ଋଣ (Application No. 11:01:P271337) ବାତିଲ କରାଯାଇଛି ଏବଂ ଏ ବାବଦରେ କୌଣସି ଅର୍ଥ ଦାବି ବା ଆଦାୟ କରାଯାଇ ପାରିବ ନାହିଁ ।
୩୦ ଦିନ ମଧ୍ୟରେ ୬,୭୫୬ ଟଙ୍କା ବକେୟା ରାଶି ଛାଡ଼ (write off) କରିବାକୁ, କ୍ରେଡିଟ୍ ବ୍ୟୁରୋ ରେକର୍ଡ ସଂଶୋଧନ କରିବାକୁ ଏବଂ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଋଣ ବାବଦରେ ଜମା ହୋଇଥିବା ୫,୭୫୦ ଟଙ୍କା ଫେରସ୍ତ କିମ୍ବା ୩୦ ଦିନ ମଧ୍ୟରେ ଲିଖିତ ବିକଳ୍ପ ଅନୁସାରେ ପୂର୍ବ ଋଣ (MFI-1 ଓ MFI-2) ବକେୟାରେ ସମନ୍ୱୟ କରିବାକୁ କୁହାଯାଇଛି ।
୨୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ୧୦,୦୦୦ ଟଙ୍କା ମକଦ୍ଦମା ଖର୍ଚ୍ଚ ୪୫ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି; ବିଳମ୍ବ ହେଲେ ୨୪.୦୮.୨୦୨୩ରୁ ବାର୍ଷିକ ୯% ସୁଧ ଦେବାକୁ ପଡ଼ିବ ।
ଜିଲ୍ଲାର ସମସ୍ତ ମାଇକ୍ରୋଫାଇନାନ୍ସ କାର୍ଯ୍ୟରେ ଗ୍ରାହକଙ୍କୁ ବୁଝିବା ଭଳି ଭାଷାରେ ସର୍ତ୍ତାବଳୀ ବୁଝାଇବା,ଚୁକ୍ତିପତ୍ରର ନକଲ ଦେବା ଏବଂ ଯେଉଁ ଉଦ୍ଦେଶ୍ୟରେ ବାୟୋମେଟ୍ରିକ୍/OTP ନିଆଯାଉଛି ତାହା ବାହାରେ ବ୍ୟବହାର ନକରିବାକୁ ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସାଧାରଣ ଖାଉଟିଙ୍କ ପାଇଁ ସତର୍କତାର ବାର୍ତ୍ତା,କୌଣସି କାରଣ ଦର୍ଶାଇ ବାୟୋମେଟ୍ରିକ୍ ଟିପଚିହ୍ନ କିମ୍ବା OTP ଦେବା ପୂର୍ବରୁ ତାହାର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ନିଶ୍ଚିତ ହୁଅନ୍ତୁ ।
ଋଣ ନେବା ସମୟରେ ଋଣ ରାଶି, ସୁଧ ହାର, ଦେୟ କିସ୍ତି ଏବଂ ଚୁକ୍ତିପତ୍ରର ନକଲ ନିଜ ପାଖରେ ରଖନ୍ତୁ ।
ନିଜ ବ୍ୟାଙ୍କ ଖାତା, ମୋବାଇଲ୍ ନମ୍ବର ଏବଂ କ୍ରେଡିଟ୍ ରିପୋର୍ଟ (CIBIL/CRIF) ଉପରେ ନିୟମିତ ନଜର ରଖନ୍ତୁ ।
ବିନା ଅନୁମତିରେ ଋଣ କିମ୍ବା ଆର୍ଥିକ ସେବାରେ ତ୍ରୁଟି ଦେଖାଦେଲେ ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୁଅନ୍ତୁ ।