କଟକ,୨୪/୧୧(ପିପିଟି): ଐତିହାସିକ କଳିଙ୍ଗ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଏବଂ ଆଗନ୍ତୁକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍ଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉତ୍ସବସ୍ଥଳର ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପୁଲିସ ମୁତୟନ, ନିରନ୍ତର ନଜରଦାରୀ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ପାରାଦୀପରେ ୧୭ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ନଭେମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କଳିଙ୍ଗ ବାଲିଯାତ୍ରାରେ ଗ୍ରାମଶ୍ରୀ ମେଳା, ପାରମ୍ପରିକ ହସ୍ତଶିଳ୍ପ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ କଳାକାରଙ୍କ ପରିବେଷଣ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ। ପ୍ରାଚୀନ କଳିଙ୍ଗର ସମୃଦ୍ଧ ସାମୁଦ୍ରିକ ଇତିହାସ ଓ ସାଧବମାନଙ୍କ ବାଣିଜ୍ୟିକ ଯାତ୍ରାର ସ୍ମୃତି ବହନ କରୁଥିବା ଏହି ଉତ୍ସବ ଓଡ଼ିଶାର ଗୌରବମୟ ପରମ୍ପରା ଓ ସାଂସ୍କୃତିକ ପରିଚୟକୁ ଉଜ୍ଜ୍ୱଳ କରିଥାଏ। ଉତ୍ସବ ସମୟରେ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବା ସହ ଶୃଙ୍ଖଳିତ ଭିଡ଼ ପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଆଇଜି ଡଃ ନାୟକ ଗୁରୁତ୍ୱାରୋପ କରିଛନ୍ତି।