ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି ।

0 0

ଭୁବନେଶ୍ୱର,୨୩/୧୧(ପିପିଟି): ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହ ବିଧାନସଭା ଘେରାଉ କରାଯାଇଛି। ୫ ହଜାରରୁ ଉର୍ଦ୍ଧ୍ବ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଓଡ଼ିଶାରେ ବେଲଗାମ୍ ବଜାର ଦର ପ୍ରତିବାଦରେ ଓ ମୋହନ ମାଝୀଙ୍କ ମହଙ୍ଗା ସରକାର ବିରୁଦ୍ଧରେ ବିଧାନସଭା ଘେରାଉ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଜନତାଙ୍କ ଉପସ୍ଥିତିରେ ସେ କହିଥିଲେ ଯେ, ସାଧାରଣ ପରିବାରରୁ ଆସିଥିବା ମୁଖ୍ୟମନ୍ତ୍ରୀ ଆଜି ଗରିବ, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାରର କଥା ସଂପୂର୍ଣ୍ଣ ରୂପେ ଭୁଲିଯାଇଛନ୍ତି । କ୍ୟାବିନେଟ୍ ପରେ କ୍ୟାବିନେଟ୍ ବୈଠକ ବସୁଛି କିନ୍ତୁ ଲୋକଙ୍କ ସରକାର ଓଡ଼ିଆବାସୀଙ୍କ ସମସ୍ୟାର ସମାଧାନ କରିପାରିଲେ ନାହିଁ । ଦରଦାମ୍ କୁ ନିୟନ୍ତ୍ରଣରେ ରଖିବା ଏକ ନିର୍ବାଚିତ ସରକାରର ପ୍ରଥମ କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ମୋହନ ମାଝୀଙ୍କ ସରକାର ଯେଭଳି ଭାବରେ ଦରଦାମ ବୃଦ୍ଧିକୁ ନେଇ ନିରବତା ଅବଲମ୍ବନ କରୁଛନ୍ତି ଏବଂ କଳାବଜାରୀଙ୍କ ବିରୁଦ୍ଧରେ କୈାଣସି ପଦକ୍ଷେପ ନେଉନାହାନ୍ତି, ତାହା ଏ ସରକାରର ଅପାରଗତାକୁ ପଦାରେ ପକାଉଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ପନିପରିବା, ରୋଷେଇ ଗ୍ୟାସ୍, ଡାଲି, ଚାଉଳ, ତେଲ ଏବଂ ଔଷଧ ପରି ସାମଗ୍ରୀର ଦରଦାମ ଆକାଶଛୁଆଁ ହେବାଫଳରେ ଲୋକଙ୍କ ପେଟକୁ କାଟୁଛି ଓ ପକେଟ କଟୁଛି । ଦରଦାମ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର କୈାଣସି ଆଭିମୁଖ୍ୟ ଥିଲା ଭଳି ମନେହେଉନାହିଁ । ସେ ପ୍ରଶ୍ନ କରିଥିଲେ ଯେ, ବିଧାନସଭାରେ କାହିଁକି ଦରଦାମ ବିଷୟରେ ଆଲୋଚନା ହେଉନାହିଁ ? ଓଡ଼ିଶାକୁ ଭାରତବର୍ଷରେ ପଞ୍ଚମ ବୃହତ ମହଙ୍ଗା ବଜାର କରିବା ପଛରେ ଡବଲ ଇଞ୍ଜିନ ସରକାରଙ୍କର ନୀତିଗତ ସ୍ଥାଣୁତା ଓ ପ୍ରଶାସନିକ ଅପାରଗତା ହିଁ ମୁଖ୍ୟତଃ ଦାୟୀ । ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ପରି ତେଣୁ ଦରଦାମ ପୂର୍ବ ସରକାର ସମୟରେ ନିୟନ୍ତ୍ରଣରେ ରହୁନଥିଲା ଏବଂ ବର୍ତ୍ତମାନ ସରକାର ସମୟରେ ବି ନିୟନ୍ତ୍ରଣ ଭିତରେ ରହୁନାହିଁ । ସେ ସରକାରକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଦରଦାମକୁ ନିୟନ୍ତ୍ରଣକୁ ଆଣିବାରେ ସରକାର ସଫଳ ନ ହୁଅନ୍ତି ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ କଥା ନ ବୁଝିଛନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଓଜେସି ପକ୍ଷରୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯିବ ଏବଂ ସରକାରକୁ ନିଦରେ ଶୁଆଇ ଦିଆଯିବ ନାହିଁ ।

ଆଜିର ଏହି ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଓଜେସି ପକ୍ଷରୁ ଅଭିନବ ଉପାୟରେ ଗ୍ୟାସ୍ ସିଲିଣ୍ଡର, ପିଆଜ ମାଳ ଏବଂ ପନିପରିବା ଟୋକେଇ ଧରି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ କରାଯାଇଥିଲା । ଓଜେସି ଉପସଭାପତି ତଥା ଭୁବନେଶ୍ବର ଜିଲ୍ଲା ସଭାପତି ବଦ୍ରିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ସହର ସଭାନେତ୍ରୀ ଗିରିବାଳା ବେହେରା, ଉପସଭାପତି ନଜିବୁର ରେହମାନ ଖାନ୍, ପ୍ରଦୀପ ପ୍ରଧାନ, କଟକ ଜିଲ୍ଲା ସଭାପତି ଅନିଲ ବେଉରା, ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟଦୀପ ବିଶ୍ବାଳ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଶୋକ ପ୍ରତିହାରୀ, କୋରାପୁଟ ଜିଲ୍ଲା ସଭାପତି ମନୋଜ କୁମାର ବାଘ, ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ କୁମାର ବେହେରା, କନ୍ଧମାଳ ଜିଲ୍ଲା ସଭାପତି ଆନନ୍ଦେଶ୍ବର କହଁର, ବାଲେଶ୍ବର ଜିଲ୍ଲା ସଭାପତି ଅରିଜିତ ଘୋଷାଲ, ମୟୂରଭଞ୍ଜ ଜିଲ୍ଲା ସଭାପତି ଅଂଶୁମାନ ଦାସ, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ, ମିଡିଆ ସେଲ୍ ଚେୟାରମ୍ୟାନ ପ୍ରଶାନ୍ତ ଶତପଥି, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ଛାତ୍ର ଜନତା କଂଗ୍ରେସ ସଭାପତି ଆଦିତ୍ୟ ପ୍ରସାଦ ପରିଡ଼ା, ରାକେଶ ବେହେରା, କୃଷକ ନେତା ଶେଷଦେବ ନନ୍ଦ, ନିମାଇଁ ରାୟ, ଉମାକାନ୍ତ ଭାରତ, ଯୁବ ନେତ୍ରୀ ସୀତା ସାହୁ, ସୋନାଲି ମହାପାତ୍ର, ପୂଜା ରାୟ ପ୍ରମୁଖ ଉପସ୍ଥିତ ରହି ଦରବୃଦ୍ଧି ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟକୁ କଠୋର ସମାଲୋଚନା କରିଥିଲେ ।

 

Leave A Reply

Your email address will not be published.