ପୁରୁଷୋତ୍ତମପୁର,୨୩/୧୧(ପିପିଟି):ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଆଜି ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା କ୍ଷତିଗ୍ରସ୍ତ ଧାନ ଫସଲର ଅନୁଧ୍ୟାନ କରିଛନ୍ତି । ଲୋକମାନେ ନିଜ ନିଜ ଖେତକୁ ମୁଖ୍ୟମନ୍ତ୍ରୀଙ୍କୁ ଆସି କ୍ଷତିଗ୍ରସ୍ତ ଧାନକୁ ଦେଖିବାକୁ ଅନୁରୋଧ କଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସରପଞ୍ଚ ଓ ଶିକ୍ଷକତା ଜୀବନର ଅଭିଜ୍ଞତାକୁ ପାଥେୟ କରି ସମବେତ ଗ୍ରାମୀଣ ଜନସାଧାରଣଙ୍କୁ ବିଶେଷକରି ମା’ମାନଙ୍କୁ ବୁଝାଇ କହିଥିଲେ ଯେ, ଗୋଟିଏ ଭାତ ହାଣ୍ଡିରୁ ଭାତ ଚିପୁଡ଼ି ଦେଖିଲେ ଯେପରି ସମସ୍ତ ଭାତର ଅବସ୍ଥା ଜଣାପଡ଼ିଥାଏ, ସେହିପରି ଗୋଟିଏ ଧାନ କ୍ଷେତ ପରିଦର୍ଶନ କରି ସମଗ୍ର ଅଞ୍ଚଳର ଚାଷୀଙ୍କ ଫସଲ କ୍ଷୟକ୍ଷତିର ଗମ୍ଭୀରତା ସେ ଅନୁଭବ କରିଛନ୍ତି । ଗ୍ରାମୀଣ ପରିବାରରୁ ଆସିଥିବା ମୁଖ୍ୟମନ୍ତ୍ରୀ କେବଳ ଦୂରରୁ ଦେଖି ନୁହେଁ, ବରଂ ନିଜ ଆଡ଼ୁ କାଦୁଅ କ୍ଷେତ ଭିତରକୁ ଓହ୍ଲାଇ ଧାନ ଗଛ ଧରି ଫସଲର ସ୍ଥିତି ପରଖିଥିଲେ। ଏହା ଦେଖି ଲୋକ ମାନେ ବହୁତ ଖୁସି ହୋଇଥିଲେ । ବୟସ୍କ ଲୋକ ମାନେ ଏଇ ହେଉଛନ୍ତି ପ୍ରକୃତରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ ।
ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସରଳ ଓ ମାଟି ସହ ଜଡ଼ିତ ଆଚରଣ ଉପସ୍ଥିତ ଚାଷୀମାନଙ୍କ ମନକୁ ଛୁଇଁବା ସହ ସେମାନଙ୍କ ମଧ୍ୟରେ ଆତ୍ମୀୟତା ଓ ଭରସା ସୃଷ୍ଟି କରିଥିଲା ।
ଏହି ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ହାଣ୍ଡିଘର ଅଞ୍ଚଳର ଚାଷୀ ଓ ମହିଳାମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଜିଲ୍ଲାରେ ଚାଷୀମାନଙ୍କର ବ୍ୟାପକ କ୍ଷତି ହୋଇଥିବା ଦେଖି ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଦୁର୍ଦ୍ଦିନରେ ସରକାର ସବୁବେଳେ ସେମାନଙ୍କ ସହ ରହିଛନ୍ତି ବୋଲି ଆଶ୍ୱାସନା ଦେଇଥିଲେ । ଚାଷୀ ଓ ସାଧାରଣ ଜନତାଙ୍କୁ ଏପର୍ଯ୍ୟନ୍ତ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ । ଏଥିସହ ଜମି ନିକଟରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଲଗାଯାଇଥିବା ତଥ୍ୟଯୁକ୍ତ ବ୍ୟାନର ମାଧ୍ୟମରେ ଓ ଜିଲ୍ଲାପାଳଙ୍କଠାରୁ କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିସ୍ତୃତ ତଥ୍ୟ ନେବା ସହ ଚାଷୀଙ୍କ ଅଭିଯୋଗଗୁଡ଼ିକର ତଦନ୍ତ କରି ଶୀଘ୍ର ଓ ସ୍ଥାୟୀ ସମାଧାନ କରିବାକୁ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗ୍ରାଉଣ୍ଡ ଜିରୋ ର ଗସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ।