ବେଲଗୁଣ୍ଠା୨୩/୧୧(ପିପିଟି): ରବିବାର ତନରଡ଼ାସ୍ଥିତ ସତ୍ୟଶ୍ରୀ ଜରଶ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉତ୍କଳୀୟ ପ୍ରସିଦ୍ଧ ଦକ୍ଷିଣୀ କଳା ସଂସ୍କୃତି ସଂକୀର୍ତ୍ତନ ପରିବେଷଣ ହୋଇଥିଲା । ଶ୍ରୀ ରାଧାକୃଷ୍ଣଙ୍କ ଭକ୍ତି ସଙ୍ଗୀତର ମଧୁର ତାଳ – ଲୟ ଓ ମୃଦଙ୍ଗର ମୂର୍ଚ୍ଛନା ଶ୍ରବଣ କରିବା ନିମନ୍ତେ ଜରଶ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ସମାବେଶ ହୋଇଥିଲା। ଏଥିରେ ୩ ଜଣ ପ୍ରସିଦ୍ଧ ଦକ୍ଷିଣୀ ବାଦ୍ୟକାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଟୁଆପଦା ଗ୍ରାମର ରମେଶ ପ୍ରଧାନ, ଏହି ବ୍ଲକ ଅନ୍ତର୍ଗତ ଝାଡ଼କୁଦା ଗ୍ରାମର ଲକ୍ଷ୍ମଣ ରେଡ୍ଡୀ ଓ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତିରିଡ଼ା ଗ୍ରାମର ନରେନ୍ଦ୍ର ପ୍ରଧାନ ଏବଂ ୩ ଗାୟକ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମର ସୁଦାମ ନାୟକ, ଛତ୍ରପୁରର ଭୀମ ପାତ୍ର ଓ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ ଗ୍ରାମର ସୀମାଞ୍ଚଳ ରାଓ ଯୋଗ ଦେଇ ଦକ୍ଷିଣୀ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ଅପରାହ୍ନ ଗୋଟାଏ ସମୟରେ ସଙ୍କୀର୍ତ୍ତନ ଆରମ୍ଭ ହୋଇ ରାତି ୭ ଯାଏଁ ଚାଲୁ ରହିଥିଲା । ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଧର୍ମ ସଂସ୍ଥାପନ ପାଇଁ କୁରୁକ୍ଷେତ୍ରରେ ଅବର୍ତ୍ତୀନ ହୋଇ ଥିଲେ । ଏହି ପୁଣ୍ୟ ତିଥିରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାମ ସଂକୀର୍ତ୍ତନ କରିବା ନିମନ୍ତେ ଆଜି ସତ୍ୟଶ୍ରୀ ସେବା ଟ୍ରଷ୍ଟ ପକ୍ଷରୁ ସତ୍ୟଶ୍ରୀ ଜରାଶ୍ରମ ପରିସରରେ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜାପାଠ ଅନୁଷ୍ଠିତ ହେବା ସହ ଅନ୍ୟ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।।ସକାଳେ ପୁରୋହିତ ଜୟକୃଷ୍ଣ ମିଶ୍ର ପୂଜା ପାଠ କାର୍ଯ୍ୟ ସମ୍ପାଦନ କରିଥିଲେ । ବେଲଗୁଣ୍ଠା ଈଶ୍ୱରୀୟ ପ୍ରଜାପତି ବ୍ରହ୍ମାକୁମାରୀ ଭଉଣୀ ରାଜେଶ୍ୱରୀ ପାତ୍ର ଓ ଅନ୍ୟ ଭଉଣୀଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରବର୍ତ୍ତୀ ସମୟରେ ଦକ୍ଷିଣୀ ବାଦ୍ୟ କଳାକାରଙ୍କ ଦ୍ୱାରା ସଙ୍କୀର୍ତ୍ତନ ପରିବେଷଣ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ, ଭଞ୍ଜନଗର ଦିବ୍ୟଜୀବନ ସଂଘର ମୁଖ୍ୟ ଉପଦେଷ୍ଟା ଶିବରାମ ପଣ୍ଡା, ବରିଷ୍ଠ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ପଣ୍ଡା, ମାଲ ଗୌଡ଼, କୈଳାସ ପାତ୍ର, ରବୀନ୍ଦ୍ର ନାଥ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ରଥ, ପବିତ୍ର ମୋହନ ନାୟକ, ବିଜୟ ଲେଙ୍କା ଓ ଲକ୍ଷ୍ମଣ ପରିଛା, ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ଶତପଥୀ ଓ ଶିକ୍ଷୟତ୍ରୀ ଦୀପ୍ତାନ୍ସୁପ୍ରଭା ଦେବୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆଶ୍ରମରେ ବ୍ୟବସ୍ଥାପକ ରବୀନ୍ଦ୍ର କୁମାର ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ ।
ରିପୋର୍ଟ -ସୁଶାନ୍ତ କୁମାର ବେହେରା