ଓଡ଼ିଶା ଉପକୂଳରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା: ସ୍ଥାପନ ହେବ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ କେନ୍ଦ୍ର ।

0 0

ଭୁବନେଶ୍ୱର,୨୨/୧୧(ପିପିଟି ):ସାମୁଦ୍ରିକ ବିପର୍ଯ୍ୟୟର ଆଗୁଆ ସୂଚନା ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମୁଦ୍ର ଉପକୂଳରେ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ଏଥିସହ ଓଡ଼ିଶାରେ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର (INCOIS)ର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆଧୁନିକ ଓ ଅଧିକ ଫଳପ୍ରଦ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ସମ୍ପର୍କିତ ସଠିକ୍ ତଥ୍ୟ ମିଳିବା ସହ ସମ୍ଭାବ୍ୟ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରଦାନ ସହଜ ହେବ। ଏହାଦ୍ୱାରା ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦା ଓ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନକୁ ସହାୟତା ମିଳିବ। ଏଥିସହ ସାମୁଦ୍ରିକ ଗବେଷଣା କ୍ଷେତ୍ରରେ ମଧ୍ୟ ଏହା ନୂତନ ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ INCOIS ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମଧ୍ୟରେ ଖୁବ୍‌ଶୀଘ୍ର ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ। ଏହି ପଦକ୍ଷେପ ଓଡ଼ିଶାର ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲା କ୍ଷମତାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.