ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ।

0 0

ମାଲକାନଗିରି,୨୨/୧୧(ପିପିଟି):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାଲକାନଗିରି ଠାରେ ଜିଲ୍ଲାସ୍ତରୀୟ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଔଷଧ ଖୁଆଇ ଏହି ଅଭିଯାନର ଉଦଘାଟନ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ଆଜି ଜିଲ୍ଲାର ପ୍ରାୟ ୭୪,୫୪୨ ଜଣ ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିସରରେ ଥିବା ପଲ୍ସ ପୋଲିଓ ବୁଥରେ ଟୀକା ପ୍ରଦାନ କରାଯାଉଛି। ଏଥିପାଇଁ ଜିଲ୍ଲାରେ ୭୫୨ଟି ପୋଲିଓ ଟୀକାଦାନ କେନ୍ଦ୍ର, ୫୨ଟି ମୋବାଇଲ ଦଳ ଏବଂ ୫୮ଟି ଟ୍ରାଞ୍ଜିଟ୍ ଦଳ ଗଠନ କରାଯାଇଛି। ଯେଉଁ ଶିଶୁମାନେ ଆଜି ଟୀକା ନେବାରୁ ବଞ୍ଚିତ ହେବେ, ସେମାନଙ୍କୁ ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ।ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳର କୌଣସି ବି ଯୋଗ୍ୟ ଶିଶୁ ଯେପରି ଟୀକାକରଣରୁ ବାଦ୍ ନ ପଡ଼ନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସମସ୍ତ ଅଭିଭାବକ ସଚେତନ ହୋଇ ନିଜ ଶିଶୁଙ୍କୁ ନିକଟସ୍ଥ ବୁଥକୁ ଆଣି ପୋଲିଓ ବୁନ୍ଦା ଖୁଆଇବାକୁ ସେ ନିବେଦନ କରିଥିଲେ।ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ପଣ୍ଡା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଏମ୍. ଏମ୍. ଆବିଦ ହୁସେନ୍, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ-ପରିବାର କଲ୍ୟାଣ ଡା. ମିନତୀ ମହାନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଡଃ ମୌସୁମୀ ମିଶ୍ର, ୟୁନିସେଫ୍‌ର ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଚକ୍ରଧର ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.