ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ।

0 2

ମାଲକାନଗିରି, ୨୨/୧୧(ପିପିଟି): ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗଦେଇ ସହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସମବେତ ଛାତ୍ରୀ ଓ ଅତିଥିମାନଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ନିଜର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ୱାଭିମାନର ପରିଚୟ ଦେଇଆସିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ୱ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ଅସୀମ ତ୍ୟାଗ ସମଗ୍ର ଜାତି ପାଇଁ ଗର୍ବ ଓ ଗୌରବର ବିଷୟ। ଯୁବପିଢ଼ି ଓ ଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ଉଚିତ।ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ କହିଥିଲେ ଯେ ସହୀଦ ଲକ୍ଷ୍ମଣ ନାୟକ କେବଳ ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ବରଂ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ। ଆଜିର ଛାତ୍ରଛାତ୍ରୀମାନେ ତାଙ୍କର ସତ୍ୟନିଷ୍ଠା, ଶୃଙ୍ଖଳା ଓ ସମାଜ ସଂସ୍କାରମୂଳକ ଚିନ୍ତାଧାରାକୁ ନିଜ ଜୀବନରେ ଆପଣାଇବା ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣିଗ୍ରାହୀ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, ବିଧାୟକଙ୍କ ପ୍ରତିନିଧି ନିହାର ରୟ ଏବଂ କନ୍ଧ ସମାଜ ସଭାପତି ହରି ଗୋଲରୀ ପ୍ରମୁଖ ଯୋଗଦେଇ ସହୀଦଙ୍କ ଜୀବନୀ, ନିଶା ନିବାରଣ, ବାଲ୍ୟବିବାହ ଓ ଜାତିପ୍ରଥା ବିରୋଧରେ ତାଙ୍କର ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମଧୁମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.