୨ଟି ଉଚ୍ଚ ଅବସ୍ଥିତ ଜଳ ସଂରକ୍ଷଣ ଟାଙ୍କି ନିର୍ମିତ ।

0 21

ମାଲକାନଗିରି,୨୨/୧୧(ପିପିଟି): ମାଲକାନଗିରି ଜନସ୍ବାସ୍ଥ୍ୟ ବିଭାଗ ଦ୍ଵାରା ୨ଟି ଉଚ୍ଚ ଅବସ୍ଥିତ ଜଳ ସଂରକ୍ଷଣ ଟାଙ୍କି ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଗୋଟି ଟାଙ୍କି ବାଲି ସାଗର ପୋଖରୀ ନିକଟରେ ନିର୍ମାଣ କରାଯାଉଥିବା ବେଳେ ଅନ୍ୟଟି ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ନିର୍ମାଣ କରାଯାଉଛି। ଏହା ଉଚ୍ଚତା ୨୫ ମିଟର ହେବ। ଏହି ଦୁଇଟି ଟାଙ୍କିର କାର୍ଯ୍ୟ ଫେବୃଆରୀ ୨୦୨୬ରୁ ଆରମ୍ଭ ହୋଇଥିଲା ବେଳେ ଅକ୍ଟୋବର ମାସ ଶେଷରେ ହେବା କଥା। ମାତ୍ର ଟାଙ୍କି ଦୁଇଟିର ପିଲର କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଉପରେ ଟାଙ୍କି ନିର୍ମାଣ ହେବାରେ ବିଳମ୍ୱ ଘଟିଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଏସଡିଓ ରାଜେଶ ଜେନା କହିଲେ ଯେ ଦୁଇଟି ଟାଙ୍କିର କାର୍ଯ୍ୟ ସମାପ୍ତ ପାଇଁ ଆଉ ୩ ମାସ ସମୟ ଲାଗି ପାରେ । ଏହି ଟେଣ୍ଡର କାର୍ଯ୍ୟ ଭୁବନେଶ୍ବରର ଆଦିତ୍ୟ ଇଞ୍ଜିନିୟରିଂ ଠିକା ସଂସ୍ଥା ନେଇଥିବା ବେଳେ ଆଉ ତିନି ମାସ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇଥିବା ଜଣାପଡିଛି।
ଏହି ଉଚ୍ଚ ଅବସ୍ଥିତ ଜଳ ସଂରକ୍ଷଣ ଟାଙ୍କି ନିର୍ମାଣ ହେଲେ ପାନୀୟ ଜଳ ଯୋଗାଣରେ ସୁବିଧା ହେବ। ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେଲେ
ମଧ୍ୟ ଜଳ ଯୋଗାଣରେ ପ୍ରତିବନ୍ଧକ ହେବ ନାହିଁ। ଏହା ସ୍ବୟଂ ଚାଳିତ ଭାବେ କାର୍ଯ୍ୟ କରିବ। ଏଥିରେ ସେନସର୍ ମେସିନ ଲାଗିବ ।
ମାଲକାନଗିରି ପୌରପରିଷଦକୁ ପାନୀୟ ଜଳ ଯୋଗାଣ ପାଇଁ ୧୧ଟି
ଜୋନରେ ବିଭକ୍ତ କରାଯାଇଥିଲା ବେଳେ ବର୍ତ୍ତମାନ ୨ଟି ଜୋନ୍ ରେ ଏହି ଉଚ୍ଚ ଅବସ୍ଥିତ ଜଳ ସଂରକ୍ଷଣ ଟାଙ୍କି ପ୍ରଥମ ଥର ପାଇଁ ନିର୍ମାଣ କରାଯାଉଛି। ଏଥିପାଇଁ ୮କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।
ପ୍ରଥମ ବାଲି ସାଗର ସ୍ଥିତ ଉଚ୍ଚ ଅବସ୍ଥିତ ଟାଙ୍କିରୁ ୧୧୯ କଲୋନୀ,ପିଡବ୍ଳୁଡି କଲୋନୀ,ବୁଟିଗୁଡା,ଟାଇଟେକ୍ କଲୋନୀ,ସୁଇପର କଲୋନୀ ଏବଂ ଭେଟିରିନାରୀ କଲୋନୀ କୁ ପାନୀୟ ଜଳ ଯୋଗାଣ ହେବ। ସେହିପରି ଜନ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ନିର୍ମିତ ଉଚ୍ଚ ଅବସ୍ଥିତ ଟାଙ୍କିରୁ ଝାଟିମାଟି କଲୋନୀ,ପରଜାଗୁଡା,ଇରିଗେସନ କଲୋନୀ ମଇଁଷି ପଡା ଏବଂ ଆଇଏମଏସଟି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହେବ। ଫଳରେ ଉପଭୋକ୍ତା ମାନେ ସହଜରେ ପାନୀୟ ଜଳ ପାଇବାରେ ପୂର୍ବ ପରି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.