୧୧୫ ଟଙ୍କାର ଖରାପ ଇଣ୍ଡିକେଟର ପାଇଁ ଖାଉଟିଙ୍କ ଲଢ଼େଇ: ୧,୬୧୫ ଟଙ୍କା ଜରିମାନା ଦେଲେ ଦୋକାନୀ ।

0 0

଼ବ୍ରହ୍ମପୁର,୨୨/୧୧(ପିପିଟି): ମାତ୍ର ୧୧୫ ଟଙ୍କାର ଏକ ଖରାପ ବାଇକ୍ ଇଣ୍ଡିକେଟର ଲାଇଟ୍ ବିକ୍ରି କରିବା ଓ ବିଧିବଦ୍ଧ ରସିଦ (ବିଲ୍) ନ ଦେବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର)ଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ଦୋକାନୀ ଅଭିଯୋଗକାରୀଙ୍କୁ ମୋଟ ୧,୬୧୫ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି । ଗତ ନଭେମ୍ବର ୧୦ ତାରିଖରେ ଅଭିଯୋଗକାରୀ ଆୟୋଗଙ୍କ ନିକଟରୁ ଏହି କ୍ଷତିପୂରଣ ରାଶିର ଡିମାଣ୍ଡ ଡ୍ରାଫ୍ଟ ଗ୍ରହଣ କରିଛନ୍ତି ।

ଘଟଣାର ବିବରଣୀ: ଗୋପାଳପୁର-ଅନ୍-ସି କଲେଜ ରୋଡ୍ ଅଞ୍ଚଳର ବିଧି ମୋହନ ପାଣିଗ୍ରାହୀ ଗତ ୨୪.୦୮.୨୦୨୪ ତାରିଖ ସନ୍ଧ୍ୟାରେ ମଣ୍ଡିଆପଲ୍ଲୀ ଛକ ସ୍ଥିତ ‘ମହାଲକ୍ଷ୍ମୀ ଟୁ-ହ୍ୱିଲର ସ୍ପେୟାର ପାର୍ଟସ୍’ ଦୋକାନରୁ ୧୧୫ ଟଙ୍କା ଦେଇ ଏକ ବାଇକ୍ ଇଣ୍ଡିକେଟର ଲାଇଟ୍ କିଣିଥିଲେ । ଦୋକାନୀ ଶିବରାମ ଜେନା ଏଥିପାଇଁ ଯେଉଁ କ୍ୟାସ୍ ମେମୋ (ବିଲ୍ ନଂ-୯୨୯) ଦେଇଥିଲେ, ସେଥିରେ ଜିଏସ୍‌ଟି (GST), ଟିନ୍ (TIN) କିମ୍ବା କୌଣସି ମାନକ ଚିହ୍ନ (ISI) ନଥିଲା। ପରବର୍ତ୍ତୀ ସମୟରେ ଗ୍ୟାରେଜ୍‌ରେ ପ୍ୟାକେଟ୍ ଖୋଲିବା ପରେ ଇଣ୍ଡିକେଟରଟି ଭଙ୍ଗା ବା ଖରାପ ଥିବା ଜଣାପଡ଼ିଥିଲା। ଏନେଇ ଶ୍ରୀ ପାଣିଗ୍ରାହୀ ଦୋକାନୀଙ୍କୁ ଜଣାଇ ବଦଳାଇବା କିମ୍ବା ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିବାରୁ ଦୋକାନୀ ମନା କରିବା ସହ ଦୁର୍ବ୍ୟବହାର କରିଥିଲେ ।

ଏହାପରେ ୧୯.୦୨.୨୦୨୫ରେ ଓକିଲ ନୋଟିସ୍ ପଠାଇବା ସତ୍ତ୍ୱେ କୌଣସି ସମାଧାନ ନ ହେବାରୁ ଶ୍ରୀ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ (ମାମଲା ନଂ- CC 65/2025)।

ଆୟୋଗଙ୍କ ରାୟ ଓ କାର୍ଯ୍ୟାନୁଷ୍ଠାନ:ମାମଲାର ବିଚାର କରି ଆୟୋଗଙ୍କ ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଓ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ ଗତ ୨୧.୦୭.୨୦୨୬ ତାରିଖରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଉପଯୁକ୍ତ ବିଲ୍ ନ ଦେବା ଏବଂ ଖରାପ ସାମଗ୍ରୀ ବିକ୍ରି କରି ସେବାରେ ତ୍ରୁଟି (Deficiency in Service) ଓ ଅନୈତିକ ବାଣିଜ୍ୟ କାରବାର (Unfair Trade Practice) କରିଥିବା ଦର୍ଶାଇ ଆୟୋଗ ଦୋକାନୀଙ୍କୁ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଥିଲେ । ସାମଗ୍ରୀ ମୂଲ୍ୟ ୧୧୫ ଟଙ୍କା ଫେରସ୍ତ,ମାନସିକ ଯନ୍ତ୍ରଣା ପାଇଁ କ୍ଷତିପୂରଣ ୧,୦୦୦ ଟଙ୍କା,ମାମଲା ଖର୍ଚ୍ଚ ବାବଦକୁ ୫୦୦ ଟଙ୍କା ।
ସତର୍କବାଣୀ: ଭବିଷ୍ୟତରେ ପ୍ରତ୍ୟେକ ଗ୍ରାହକଙ୍କୁ ଖାଉଟି ସୁରକ୍ଷା ନିୟମ ଅନୁଯାୟୀ ସଠିକ୍ ବିଲ୍ ପ୍ରଦାନ କରିବାକୁ କଡ଼ା ନିର୍ଦ୍ଦେଶ ।

ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ପ୍ରତିପକ୍ଷ ଦୋକାନୀଙ୍କ ଓକିଲ ଜଗନ୍ନାଥପୁର ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର ଏକ ଡିମାଣ୍ଡ ଡ୍ରାଫ୍ଟ (ନଂ- ୩୨୮୪୫୭, ତା- ୨୪.୦୮.୨୦୨୬) ଜରିଆରେ ମୋଟ ୧,୬୧୫ ଟଙ୍କା ଆୟୋଗଙ୍କ ନିକଟରେ ଦାଖଲ କରିଥିଲେ। ଗତ ୧୦.୧୧.୨୦୨୬ ତାରିଖରେ ଅଭିଯୋଗକାରୀ ଶ୍ରୀ ପାଣିଗ୍ରାହୀ ଆୟୋଗଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଉକ୍ତ ୧,୬୧୫ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.