ଜମାକାରୀଙ୍କ ଟଙ୍କା ଅନ୍ୟକୁ ଦେବା ବ୍ୟାଙ୍କକୁ ପଡ଼ିଲା ମହଙ୍ଗା; ସୁଧ ଓ କ୍ଷତିପୂରଣ ସହ ଟଙ୍କା ଫେରସ୍ତ କରିବାକୁ ଖାଉଟି ଆୟୋଗଙ୍କ ନିର୍ଦ୍ଦେଶ ।
ବ୍ରହ୍ମପୁର,୧୯/୧୧(ପିପିଟି) : ଜଣେ ମହିଳା ଜମାକାରୀଙ୍କ ସ୍ଥାୟୀ ଜମା (Term Deposit) ରାଶିକୁ ବେଆଇନ ଭାବେ ଭାଙ୍ଗି ଅନ୍ୟ ଜଣେ ସମାନ ନାମଧାରୀ ବ୍ୟକ୍ତିଙ୍କୁ ପ୍ରଦାନ କରିବା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କକୁ ମହଙ୍ଗା ପଡ଼ିଛି। ଦୀର୍ଘ ୮ ବର୍ଷର ଆଇନଗତ ଲଢ଼େଇ ପରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ଅଭିଯୋଗକାରିଣୀଙ୍କ ସପକ୍ଷରେ ଐତିହାସିକ ରାୟ ଶୁଣାଇଛନ୍ତି ।
ଘଟଣାର ପୃଷ୍ଠଭୂମି: ବ୍ରହ୍ମପୁର ବଡ଼ବଜାର ଅନ୍ତର୍ଗତ ଆଦମଜୀ ସାହିର ବାସିନ୍ଦା ଏ. ଲକ୍ଷ୍ମୀ (c/o – ଆସିରି ଚେଟ୍ଟୀ) ଗତ ୦୧.୦୬.୨୦୦୨ ତାରିଖରେ ତତ୍କାଳୀନ ଦି ବୈଶ୍ୟ ବ୍ୟାଙ୍କ (ବର୍ତ୍ତମାନର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ) ବିରିକା ସାହି ଶାଖାରେ ୧୦,୦୦୨ ଟଙ୍କା ସ୍ଥାୟୀ ଜମା (TDR) କରିଥିଲେ। ୮.୨୫ ପ୍ରତିଶତ ସୁଧ ହାରରେ ୦୧.୧୨.୨୦୧୦ ତାରିଖରେ ଏହାର ପରିପକ୍ୱ ରାଶି ୨୦,୦୨୩ ଟଙ୍କା ହେବାର ଥିଲା ।
ପରିପକ୍ୱ ତାରିଖ ପରେ ଅଭିଯୋଗକାରିଣୀ ବ୍ୟାଙ୍କକୁ ଯିବାରୁ ବ୍ୟାଙ୍କ ଅଧିକାରୀମାନେ ଉକ୍ତ ଜମା ରାଶି ୦୨.୦୬.୨୦୧୯ ପର୍ଯ୍ୟନ୍ତ ସ୍ୱୟଂକ୍ରିୟ ଭାବେ ନବୀକରଣ (Auto-renew) ହୋଇଯାଇଥିବା କହିଥିଲେ ଏବଂ ମୂଳ ରସିଦ ଉପରେ ପେନ୍ସିଲ୍ରେ ନୂତନ ଆକାଉଣ୍ଟ ନମ୍ବର ଲେଖି ଦେଇଥିଲେ । ମୂଳ ରସିଦଟି ଜମାକାରୀଙ୍କ ନିକଟରେ ସୁରକ୍ଷିତ ଥିଲା ।
ଠକେଇ ଓ ବ୍ୟାଙ୍କର ଅବହେଳା: ପରବର୍ତ୍ତୀ ସମୟରେ ଜମାକାରୀ ଟଙ୍କା ଉଠାଇବାକୁ ଯିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟିତ୍ୱରୁ ଓହରି ଯାଇଥିଲେ। ଏକ ଖାଉଟି ସୁରକ୍ଷା ସଂଘର ସହାୟତାରେ ତଦନ୍ତ କରିବାରୁ ଜଣାପଡ଼ିଥିଲା ଯେ, ବ୍ୟାଙ୍କ କର୍ତ୍ତୃପକ୍ଷ ମୂଳ ଜମା ରସିଦ ଗ୍ରହଣ ନକରି ୩୦.୧୧.୨୦୧୨ ତାରିଖରେ ଆକାଉଣ୍ଟଟିକୁ ସମୟ ପୂର୍ବରୁ ବନ୍ଦ କରିଦେଇଥିଲେ । କେବଳ ‘ଏ. ଲକ୍ଷ୍ମୀ’ ନାମ ଲେଖି ୨୨,୮୮୬.୫୧ ଟଙ୍କାର ଏକ ପେ-ଅର୍ଡର ପ୍ରସ୍ତୁତ କରି ଭେଙ୍କଟେଶ୍ୱର ମନ୍ଦିର ସାହିର ‘ଏ. ଲକ୍ଷ୍ମୀ ନରସମ୍ମା’ ନାମକ ଅନ୍ୟ ଜଣେ ମହିଳାଙ୍କୁ ପ୍ରଦାନ କରିଥିଲେ । ସଂପୃକ୍ତ ମହିଳା ଜଣକ ବଜାର ସ୍ଥିତ ଏସ୍ବିଆଇ ଶାଖାରେ ଆକାଉଣ୍ଟ ଖୋଲି ଉକ୍ତ ସମସ୍ତ ଟଙ୍କା ଉଠାଇ ନେଇଥିଲେ ।
ଆୟୋଗଙ୍କ ଚୂଡ଼ାନ୍ତ ରାୟ: ଏହି ମାମଲାର (ସି.ସି. ନଂ- ୪୦/୨୦୧୮) ଶୁଣାଣି କରି ଆୟୋଗ ର ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (୧ ନମ୍ବର ପ୍ରତିପକ୍ଷ) ସେବାରେ ଘୋର ଅବହେଳା କରିଥିବା ଦର୍ଶାଇଛନ୍ତି। ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ:
୧. ମୂଳ ଜମା ଓ ସୁଧ ଫେରସ୍ତ: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅଭିଯୋଗକାରିଣୀଙ୍କୁ ୦୧.୧୨.୨୦୧୦ ତାରିଖର ପରିପକ୍ୱ ରାଶି ୨୦,୦୨୩ ଟଙ୍କା ସହ ୦୨.୦୬.୨୦୧୯ ପର୍ଯ୍ୟନ୍ତ ଚୁକ୍ତି ଅନୁଯାୟୀ ସୁଧ ଏବଂ ୦୩.୦୬.୨୦୧୯ ଠାରୁ ଟଙ୍କା ପୈଠ ହେବା ପର୍ଯ୍ୟନ୍ତ ବାର୍ଷିକ ୯ ପ୍ରତିଶତ ସରଳ ସୁଧ ପ୍ରଦାନ କରିବେ ।
୨. ମାନସିକ ନିର୍ଯାତନା ଓ ମକଦ୍ଦମା ଖର୍ଚ୍ଚ: ଅଭିଯୋଗକାରିଣୀ ପାଇଥିବା ମାନସିକ ଯନ୍ତ୍ରଣା ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ବ୍ୟାଙ୍କ ପ୍ରଦାନ କରିବ ।
୩. ସମୟସୀମା: ଆଦେଶର ନକଲ ପାଇବାର ୪୫ ଦିନ ମଧ୍ୟରେ ବ୍ୟାଙ୍କ ଏହି ନିର୍ଦ୍ଦେଶ ପାଳନ କରିବ। ଏଥିରେ ଖିଲାପ କଲେ ମାମଲା ରୁଜୁ ତାରିଖ (୦୮.୦୮.୨୦୧୮) ଠାରୁ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିବ ।
୪. ଟଙ୍କା ଅସୁଲ ପାଇଁ ଅନୁମତି: ବେଆଇନ ଭାବେ ଟଙ୍କା ନେଇଥିବା ତୃତୀୟ ପକ୍ଷ ମହିଳା (ଏ. ଲକ୍ଷ୍ମୀ ନରସମ୍ମା)ଙ୍କ ନିକଟରୁ ୨୨,୮୮୬.୫୧ ଟଙ୍କା ଆଇନଗତ ପ୍ରକ୍ରିୟାରେ ଅସୁଲ କରିବା ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କକୁ ସ୍ୱାଧୀନତା ଦିଆଯାଇଛି । ଏଥିରେ ଏସ୍ବିଆଇ (୨ ନମ୍ବର ପ୍ରତିପକ୍ଷ) ଆବଶ୍ୟକୀୟ ବ୍ୟାଙ୍କିଙ୍ଗ୍ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।