ଭଞ୍ଜନଗର, ୧୮/୧୧(ପିପିଟି ): ଗତ ବନ୍ୟାର କ୍ଷୟକ୍ଷତିରୁ ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ କାର୍ଯ୍ୟ ଚାଲିଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦେଖାଦେଇଛି। ଆସନ୍ତା ୧୯ ଓ ୨୦ ନଭେମ୍ବରରେ ବାତ୍ୟାର ପ୍ରଭାବ ପଡ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ୧୯ ଓ ୨୦ ନଭେମ୍ବର ଦୁଇ ଦିନ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ବୁଧବାର ବ୍ରହ୍ମପୁର ଆର୍ଡିସି ବିଜୟ ଅମୃତ କୁଲାଙ୍ଗେ ଡହ ଜଳଭଣ୍ଡାରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଗତ ବାତ୍ୟା ସମୟରେ ଜଳଭଣ୍ଡାରର ଜଳସ୍ତର, ବର୍ଷା ପରିମାଣ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ଆଗକୁ ବର୍ଷା ନ ହେଲେ ରବି ଫସଲ ପାଇଁ ଜଳ ଉପଲବ୍ଧତା କିପରି ରହିବ, ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ଜଳଭଣ୍ଡାରର ଉପରମୁଣ୍ଡରୁ ନାଳ ଜଳ ପ୍ରବାହିତ ହୋଇ ଆସିଲେ ରବି ଫସଲ ପାଇଁ ଆବଶ୍ୟକ ଜଳ ମିଳିପାରିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କଟେଶ ତାଙ୍କୁ ଅବଗତ କରାଇଥିଲେ।
ବୁଧବାର ଦିନ ୧ଟା ସୁଦ୍ଧା ଡହ ଜଳଭଣ୍ଡାରରେ ୫୬ ପ୍ରତିଶତ ଜଳ ମହଜୁଦ ଥିବାବେଳେ ଗୁରୁବାର ସକାଳ ସୁଦ୍ଧା ଏହାକୁ ୫୦ ପ୍ରତିଶତକୁ ହ୍ରାସ କରିବାର ଯୋଜନା ରହିଛି। ସେହିପରି ଭଞ୍ଜନଗର, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରର ଜଳସ୍ତର ମଧ୍ୟ ନିୟନ୍ତ୍ରିତ ଭାବେ ହ୍ରାସ କରାଯାଉଛି।
ଅନ୍ୟପକ୍ଷରେ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି, ଲୋକଙ୍କ ସୁରକ୍ଷା ଓ ଥଇଥାନ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି।ଉପଜିଲ୍ଲାପାଳ ଆଜି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତୁରୁମୁ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରିଥିଲେ।ଏହାସହ ରଙ୍ଗାମେରୁ ଗ୍ରାମର କଚ୍ଚା ଘରେ ରହୁଥିବା ପରିବାରମନଙ୍କୁ ଭେଟି ଉପଜିଲ୍ଲାପାଳ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।
ଜଳସମ୍ପଦ, ପଞ୍ଚାୟତିରାଜ, ରାଜସ୍ୱ ବିଭାଗ ସମେତ ପୋଲିସ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳ ଓ ଖାଲୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ମାଗଣା ଖାଦ୍ୟ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି।
ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଜନିତ ବିପଦକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଜାରି ରଖିଥିବା ବେଳେ ଜନସାଧାରଣଙ୍କୁ ଅନାବଶ୍ୟକ ଯାତାୟାତ ରୁ ଦୂରେଇ ରହିବା, ସତର୍କ ରହିବା ଓ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ରିପୋର୍ଟ -ଜେ କେ ପଟ୍ଟନାୟକ