ବାତ୍ୟା ‘ଅକ୍ବାନ’ ପାଇଁ ଗଞ୍ଜାମରେ ଆଗୁଆ ସତର୍କତା; ୨୦ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ।

0 40

ଭଞ୍ଜନଗର, ୧୮/୧୧(ପିପିଟି ):ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’କୁ ନେଇ ଗଞ୍ଜାମ ଜିଲ୍ଲାରେ ବଢ଼ିଲା ସତର୍କତା। ଆସନ୍ତା ୧୯ ଓ ୨୦ ତାରିଖରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରି ଆଇଏମ୍‌ଡି ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ସହ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରହିବେ।

ଅନ୍ୟପଟେ ଆବଶ୍ୟକ ପଡ଼ିଲେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ଏଥିପାଇଁ ପାନୀୟ ଜଳ, ବିଦ୍ୟୁତ୍‌, ପାୱାର ବ୍ୟାକ୍‌ଅପ୍‌ ଓ ପରିମଳ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ସହ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.