ମାଲକାନଗିରି ,୧୬/୧୧(ପିପିଟି): ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକ୍ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିଛନ୍ତି ।
ଆଜିର ଏହି ଶିବିରରେ ମୋଟ ୫୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ୧୨ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪୩ଟି ଗ୍ରାମ୍ୟ ଓ ସାମୂହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା । ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସମସ୍ତ ଅଭିଯୋଗର ତ୍ୱରିତ ଓ ସ୍ଥାୟୀ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଅଭିଯୋଗ ପ୍ରକୋଷ୍ଠର ସହକାରୀ ଜିଲ୍ଲାପାଳ ପ୍ରୀତମ ଦେବତା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ସମାଧାନରେ ସହଯୋଗ କରିଥିଲେ । ଏଥିସହ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶିବିରରେ ଯୋଗ ଦେଇଥିଲେ ।ଶିବିର ଶେଷ ହେବା ପରେ ଜିଲ୍ଲାପାଳ କୁଡୁମୁଲୁଗୁମ୍ମା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ରାଜସ୍ୱ ନଥିପତ୍ରର ତଦାରଖ ଓ ସମୀକ୍ଷା କରିଥିଲେ । ସାଧାରଣ ଲୋକଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ସେଥିପ୍ରତି ଦୃଷ୍ଟି ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜାତିଗତ, ଆବାସିକ ଓ ଆୟ ପ୍ରମାଣପତ୍ର ପ୍ରଦାନ କରିବାକୁ ସେ କହିଛନ୍ତି । ଏହା ସହିତ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଜମି ପଟ୍ଟା ଏବଂ ମ୍ୟୁଟେସନ୍ (ଦାଖଲ ଖାରଜ) ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)