ଭଞ୍ଜନଗର, ୧୬/୧୧(ପିପିଟି):ପେନସନ ବୃଦ୍ଧି ଦାବୀରେ ସୋମବାର ଅଲ୍ ଓଡ଼ିଶା ଇପିଏଫ୍ ପେନସନଭୋଗୀ ସଂଘ ଆସିକା ଶାଖା ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପାତ୍ର ପ୍ରଦାନ କରାଯାଇଛି। ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଇପିଏସ-୯୫ ପେନସନଭୋଗୀମାନଙ୍କୁ ପେନସନ ଅର୍ଥ ଖୁବ କମ ମିଳୁ ଥିବାରୁ ଦରଦାମ ବୃଦ୍ଧି ଯୋଗୁଁ ନିଜର ପରିବାର ପ୍ରତିପୋଷଣ, ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପାଇ ପାରୁ ନାହାନ୍ତି। ଇପିଏଫଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇପିଏସ -୯୫ ଯୋଜନାରେ ସେମାନଙ୍କୁ ମାସିକ ମାତ୍ର ୫ ଶହ ଟଙ୍କାରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି। ଗତ ୧ ସେପ୍ଟେମ୍ବର ୨୦୧୪ ଠାରୁ ଗତ ୧୨ ବର୍ଷ ମଧ୍ୟରେ ଏହି ରାଶିରେ କୌଣସି ବୃଦ୍ଧି କରା ଯାଇନାହିଁ।ଯାହା ଫଳରେ ଦେଶର ପେନସନଭୋଗୀ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ, ନିରାଶା ଏବଂ କ୍ଷୋଭ ବୃଦ୍ଧି ପାଇବାରେ ଲାଗିଛି।ଗତ ୨୦୧୩ ମସିହାରେ ଭଗତ ସିଂହ ଖୋଶ୍ୟାରୀଙ୍କ ନେତୃତ୍ୱରେ ଗଠିତ ରାଜ୍ୟସଭାର ‘ପିଟିସନ୍ କମିଟି’ ନିଜ ରିପୋର୍ଟରେ ସର୍ବନିମ୍ନ ପେନସନ ରାଶିକୁ ୧୦୦୦ ଟଙ୍କାରୁ ବୃଦ୍ଧି କରି ୩୦୦୦ ଟଙ୍କା ସହ ମହଙ୍ଗା ଭତ୍ତା କରିବାକୁ ସୁପାରିଶ କରିଥିଲେ। କିନ୍ତୁ, ପାଣ୍ଠି ଅଭାବର ଆଳ ଦେଖାଇ ଭାରତ ସରକାର ଏପର୍ଯ୍ୟନ୍ତ ଏହି ସୁପାରିଶକୁ କାର୍ଯ୍ୟକାରୀ କରିନାହାନ୍ତି। ତେଣୁ, ଦେଶର ଇପିଏସ -୯୫ ପେନସନଭୋଗୀ ଏବଂ ବରିଷ୍ଠ ନାଗରିକମାନଙ୍କ ସମାନ ବ୍ୟାଙ୍କିଂ ଏବଂ ବୀମା କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓପିଏସ, ଏନପିଏସ, ୟୁପିଏସ ତଥା ଅନ୍ୟାନ୍ୟ ପେନସନ୍ ଯୋଜନା ଅଧୀନରେ ଥିବା ସମସ୍ତ ପେନସନ୍ଧାରୀଙ୍କ ମଧ୍ୟରେ କର୍ମଚାରୀମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଏଥିରେ ଗଞ୍ଜାମ ଜିଲ୍ଲା ଇପିଏଫ ସଂଘ ଆସିକା ଶାଖା ସମ୍ପାଦକ ଏମ,. ରାମ ବାବୁ ଦୋରା,ଗୌରାଙ୍ଗ ପ୍ରଧାନ, କେ. ହରିହର ଦାସ ,ନାରସୁ ଗୌଡ଼,ଘନଶ୍ୟାମ ନାୟକ, ଏ. ଭୀମସେନ ରେଡ୍ଡୀ,ବସନ୍ତ କୁମାର ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।