ଭଞ୍ଜନଗର,୧୬/୧୧(ପିପିଟି ): ନିକଟରେ ଅର୍ଣ୍ଣବ ବାତ୍ୟା ଓ ତାର ପ୍ରଭାବରୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଆମ ବ୍ଳକ୍ ଅନ୍ତର୍ଗତ ଗିଡିପାବାଲି ଗାଁ ଭୂଗୋଳ ରୁ ଲିଭିଗଲା। ୧୩ ଟି ନିଷ୍ପାପ ଜୀବନ ମାଟି ତଳେ ଚାଲିଗଲା। ଅନେକ ଲୋକ ବାସହରା ହୋଇଗଲେ। ଏବେବି ଅନେକ ପରିବାର ଅଣ୍ଟା ସଳଖି ଠିଆ ହୋଇ ପାରି ନାହାନ୍ତି। ବାଉଁଶଲୁଣ୍ଡି ମଶାଣୀ ସାହି ର ବନ୍ୟା ପ୍ରଭାବିତ ୧୭ ପରିବାର ଏବେବି ଅସ୍ଥାୟୀ ଆଶ୍ରୟସ୍ଥଳରେ ଅଛନ୍ତି। ଏଣୁ ଏଭଳି ଏକ ସମୟରେ ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବାରୁ ଭଞ୍ଜନଗର ପ୍ରେସ୍ କ୍ଳବ୍ ଏହାକୁ ନିରାଡମ୍ବର ଭାବେ ପାଳନ କରିଛି।
ସୋମବାର ସ୍ଥାନୀୟ ପ୍ରେସ୍ କ୍ଳବ୍ ପରିସରରେ ଜାତୀୟ ପ୍ରେସ୍ ଦିବସ କାର୍ଯ୍ୟବାହୀ ସଭାପତି ଲୋକନାଥ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ପ୍ରଥମେ ଗିଡିପାବାଲି ମୃତକଙ୍କୁ ସମ୍ମାନ ଜଣାଇ ଏକ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା। ପରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ବକ୍ତବ୍ୟ ରଖି ପ୍ରେସ୍ କ୍ଳବ୍ କୁ ସୁଦୃଢ କରିବା ସହ ଅଞ୍ଚଳର ବହୁ ଅନାଲୋଚିତ ବିଷୟବସ୍ତୁ କୁ ଲୋକ ଲୋଚନକୁ ଆଣିବା ଓ ପ୍ରଶାସନ ର ସହଯୋଗ ରେ ଏସବୁର ସ୍ଥାୟୀ ସମାଧାନ ଦିଗରେ କାର୍ଯ୍ୟ କରିବା ଉପରେ ଜୋର ଦେଇଥିଲେ। ବିଶେଷ କରି ବାତ୍ୟା ଅର୍ଣ୍ଣବ ଯୋଗୁଁ ପ୍ରଭାବିତ ଅଞ୍ଚଳ ଓ ବ୍ୟକ୍ତି ବିଶେଷ ଙ୍କୁ ଯେଭଳି ସରକାରୀ ସୁବିଧା ମିଳିବ ଓ ଜଣେ ବି ପ୍ରଭାବିତ ଏଥିରୁ ବଞ୍ଛିତ ନହେବେ ତାହା ଉପରେ ତୀକ୍ଷ୍ମ ନଜର ରଖିବାକୁ ଏଥିରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପାତ୍ର, ସୁଶାନ୍ତ କୁମାର ସାହୁ, ବିଶ୍ବମ୍ବର ଜେନା, ଅମରେନ୍ଦ୍ର ପଟ୍ଟନାୟକ, ଜୟକୃଷ୍ଣ ପଟ୍ଟନାୟକ, ନିଲୁ ବିଷୋୟୀ, ଅରକ୍ଷିତ ପରିଚ୍ଛା ଓ ଶିବ ଶଙ୍କର ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ। ଘଟିଯାଉଥିବା ଘଟଣାବଳୀ କୁ ଲୋକ ଲୋଚନକୁ ଆଣିବା ସହ ସରକାରୀ ଅର୍ଥର ଦୁରୁପଯୋଗ ରୋକିବା ତଥା ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ସଭିଏଁ ସଂକଳ୍ପବଦ୍ଧ ହେବାକୁ ବୈଠକରେ ଅଧ୍ୟକ୍ଷତା କରିଥିବା କାର୍ଯ୍ୟ ବାହୀ ସଭାପତି ଲୋକନାଥ କର ଆହ୍ବାନ ଦେଇଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ରିପୋର୍ଟ -ଜେ କେ ପଟ୍ଟନାୟକ