ବାଲିଗୁଡା,୧୫/୧୧ (ପିପିଟି): ସୁବର୍ଣ୍ଣପୁର ଜିଲ୍ଲାର ସିନ୍ଧୋଲସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଜୋନାଲ ସ୍ତରୀୟ ବାଳକ କବାଡ଼ି ପ୍ରତିଯୋଗିତାରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ମୋଟ ୧୧ଟି ଦଳ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡ଼ା ଦକ୍ଷତା ଓ ଦଳଗତ ପ୍ରଦର୍ଶନର ପରିଚୟ ଦେଇଥିଲେ। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ରେ ଜି.ଏମ୍. ମହାବିଦ୍ୟାଳୟ, ସମ୍ବଲପୁର ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବିଜୟ ହାସଲ ସହ ଚାମ୍ପିୟନ ହୋଇଥିବା ବେଳେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଳକ କବାଡ଼ି ଦଳ ଦମ୍ଦାର ପ୍ରଦର୍ଶନ କରି ଉପବିଜେତା ହେବାର ଗୌରବ ଅର୍ଜନ କରିଛି। ଆଦିବାସୀ ମହାବିଦ୍ୟାଳୟର ଖେଳାଳି ମାନେ ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିବା ସହ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଯଦିଓ ଚୂଡ଼ାନ୍ତ ମ୍ୟାଚ୍ରେ ବିଜୟ ହାସଲ କରିବାରୁ ଦଳ ବଞ୍ଚିତ ହୋଇଛି, ତଥାପି ଉପ ବିଜେତା ଭାବେ ନିଜର କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଛି। ଏହି ସଫଳତା ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏହା ମହାବିଦ୍ୟାଳୟର କ୍ରୀଡ଼ା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ଭାବେ ବିବେଚିତ ହୋଇଛି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ