ପୁରୀ,୧୫/୧୧(ପିପିଟି): ଖାକି ବର୍ଦ୍ଦି କେବଳ ଶକ୍ତି, ଶୃଙ୍ଖଳା ଓ କର୍ତ୍ତବ୍ୟର ପ୍ରତୀକ ନୁହେଁ, ଏହା ଭିତରେ ଲୁଚି ରହିଥାଏ ଏକ ସମ୍ବେଦନଶୀଳ ହୃଦୟ ଓ ମାନବିକତାର ଅସୀମ ଭାବନା। ଏହାର ଏକ ଅନନ୍ୟ ଉଦାହରଣ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ରେଞ୍ଜ ଆଇଜି ଡ. ସତ୍ୟଜିତ ନାୟକ ଜଣେ ଅସହାୟ ବୃଦ୍ଧା ମହିଳାଙ୍କ ହାତ ଧରି ତାଙ୍କୁ ନିଜେ ଚଲାଇ ନେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇଥିଲେ। ବୟସର ଅପରାହ୍ଣରେ ପାଦ ଥାପିଥିବା ଏହି ବୃଦ୍ଧା ଠିକ୍ ଭାବେ ଚାଲିପାରୁ ନଥିବା ବେଳେ ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ନିଜ ପଦପଦବୀ ଓ ଦାୟିତ୍ୱର ଔପଚାରିକତାକୁ ଭୁଲି ତାଙ୍କର ସାହାରା ପାଲଟିଥିଲେ। ଏହା କୌଣସି ପ୍ରଚାର କିମ୍ବା ପ୍ରଦର୍ଶନର ଦୃଶ୍ୟ ନଥିଲା, ବରଂ ଜଣେ ମଣିଷର ଅନ୍ୟ ଜଣେ ମଣିଷ ପ୍ରତି ଥିବା ନିଃସ୍ୱାର୍ଥପର ସ୍ନେହ ଓ ସହାନୁଭୂତିର ଏକ ସୁନ୍ଦର ଅଭିବ୍ୟକ୍ତି ଥିଲା।
ଆଇଜି ଡ. ନାୟକଙ୍କ ହାତ ଧରି ବୃଦ୍ଧା ଜଣକ ଭାବବିହ୍ୱଳ କଣ୍ଠରେ କହିଥିଲେ, “ବାପରେ, ତୋତେ ପ୍ରଭୁ କୋଟି ପରମାୟୁ ଦିଅନ୍ତୁ।”ଜଣେ ମା’ଙ୍କ ହୃଦୟରୁ ନିର୍ଝରିତ ଏହି ଆଶୀର୍ବାଦର କେଇପଦ କଥା ଆଇଜିଙ୍କୁ ଗଭୀର ଭାବେ ଭାବପ୍ରବଣ କରିଦେଇଥିଲା। ତାଙ୍କ ଆଖିରେ ଲୁହ ଝଲସି ଉଠିଥିଲା। ବୋଧହୁଏ, ଜଣେ ମା’ଙ୍କ ନିଃସ୍ୱାର୍ଥ ଆଶୀର୍ବାଦଠାରୁ ବଡ଼ ପୁରସ୍କାର ଆଉ କିଛି ନାହିଁ। ଏହି ଦୃଶ୍ୟ ଏବେ ଲୋକଙ୍କ ହୃଦୟକୁ ଛୁଇଁବା ସହ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପ୍ରମାଣିତ କରିଛି ଯେ ପୁଲିସର ପ୍ରକୃତ ପରିଚୟ କେବଳ ଆଇନର ରକ୍ଷକ ଭାବେ ନୁହେଁ, ବରଂ ଜନସାଧାରଣଙ୍କ ସୁଖଦୁଃଖର ସାଥୀ ଭାବେ ରହିବାରେ ନିହିତ। ପଦବୀଠାରୁ ମଣିଷପଣିଆ ବଡ଼, କ୍ଷମତାଠାରୁ ସେବା ମହାନ ଏବଂ କର୍ତ୍ତବ୍ୟ ସହ କରୁଣାର ମିଳନ ହିଁ ପ୍ରକୃତ ମାନବିକତା। ମହାପ୍ରଭୁଙ୍କ ପବିତ୍ର ଧାମରେ ଜଣେ ଅଜଣା ମା’ଙ୍କଠାରୁ ମିଳିଥିବା ଏହି ଆଶୀର୍ବାଦ ନିଶ୍ଚିତ ଭାବେ ଡ. ନାୟକଙ୍କ ଜୀବନର ଏକ ଅମୂଲ୍ୟ ସ୍ମୃତି ହୋଇ ରହିବ। ସତରେ, ସେବା ହିଁ ସବୁଠାରୁ ବଡ଼ ଧର୍ମ ଏବଂ ମାନବିକତା ହିଁ ମଣିଷର ପ୍ରକୃତ ପରିଚୟ।