ଗଞ୍ଜାମ ଯୁବୋତ୍ସବରେ ଚମକିଲେ କ୍ଷତ୍ରିୟବରପୁରର ସୌରଭ;କବିତା ଲିଖନ ପ୍ରତିଯୋଗିତାରେ ହାସଲ କଲେ ଦ୍ୱିତୀୟ ସ୍ଥାନ ।

0 201

ବେଲଗୁଣ୍ଠା,୧୩/୧୧(ପିପିଟି): ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁବୋତ୍ସବରେ କବିତା ଲିଖନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁରର ସୌରଭ କାନ୍ତ ତ୍ରିପାଠୀ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ‘ନିଶାମୁକ୍ତ ଯୁବକ ଓ ବିକଶିତ ଭାରତ’ ଶୀର୍ଷକରେ ଆୟୋଜିତ କବିତା ଲିଖନ ପ୍ରତିଯୋଗିତାରେ ସେ ନିଜର ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି।କ୍ଷତ୍ରିୟବରପୁରର ଅବସରପ୍ରାପ୍ତ ଶିକ୍ଷକ ସୀତାକାନ୍ତ ତ୍ରିପାଠୀ ଓ ଶିକ୍ଷୟିତ୍ରୀ ରୀତା ଶତପଥୀଙ୍କ ପୁତ୍ର ସୌରଭଙ୍କୁ ଏହି ସଫଳତା ପାଇଁ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ପ୍ରମାଣପତ୍ର, ଟ୍ରଫି ଓ ଦୁଇ ହଜାର ଟଙ୍କାର ନଗଦ ପୁରସ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ସଫଳତା ପରେ ସୌରଭ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଯୁବୋତ୍ସବରେ ଅଂଶଗ୍ରହଣ କରିବେ। ତାଙ୍କର ଏହି କୃତିତ୍ୱରେ ପରିବାର, ଶିକ୍ଷକ ମହଲ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ସୌରଭଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.