ତାଲୁକା ଆଇନ ସେବା କମିଟି ପୋଲସରା ପକ୍ଷରୁ ‘ସୁରକ୍ଷିତ ବାଲ୍ୟକାଳ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ।

0 186

ପୋଲସରା,୧୩/୧୧ (ପିପିଟି): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସେବା କମିଟି, ପୋଲସରା ପକ୍ଷରୁ ପୋଲସରା ପୌର ପରିଷଦ ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ‘ସୁରକ୍ଷିତ ବାଲ୍ୟକାଳ ଅଭିଯାନ’ ଅନ୍ତର୍ଗତ ଏକ ଆଇନ ସଚେତନତା ସଭା କାର୍ଯ୍ୟକ୍ରମ ହୋଇଯାଇଛି।

ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ନ୍ୟାୟିକ ମାଜିଷ୍ଟ୍ରେଟ ଏ. ଅଭିନାଶ ନାଇଡୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ପୋଲସରା ଓକିଲ ସଂଘର କାର୍ଯ୍ୟକାରୀ ସଭାପତି  କବିରାଜ ଦାସ, ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ସରକାରୀ ଓକିଲ  ଅବଧେଶ ପଟ୍ଟନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କେ.ମମତା କୁମାରୀ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାଇଡୁଙ୍କ ସମେତ ଓକିଲ ସଂଘର ସଭାପତି ଶ୍ରୀ ଦାସ, ସମ୍ପାଦକ ଶ୍ରୀ ସାହୁ, ସରକାରୀ ଓକିଲ ଶ୍ରୀ ପଟ୍ଟନାୟକ ଏବଂ ଆଇନଜୀବୀ ଜମିର ଅଲ୍ଲୀ ଖାନ ନିଜ ନିଜ ଅଭିଭାଷଣରେ ଶିଶୁମାନଙ୍କ ଅଧିକାର, ସୁରକ୍ଷା, ନିର୍ଯାତନାର ପ୍ରତିରୋଧ ଓ ଏ ସମ୍ପର୍କିତ ଆଇନଗତ ସୁରକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ବକ୍ତାମାନେ ଶିଶୁ ସୁରକ୍ଷାକୁ କେବଳ ଏକ ସାମାଜିକ ଦାୟିତ୍ୱ ନୁହେଁ, ବରଂ ଏହାକୁ ସାମ୍ବିଧାନିକ ଅଧିକାର ଓ ଆଇନଗତ କର୍ତ୍ତବ୍ୟ ଭାବେ ବର୍ଣ୍ଣନା କରିଥିଲେ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫(୩), ୨୧, ୨୧-କ, ୨୩ ଓ ୨୪ରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ସେମାନେ ବୁଝାଇଥିଲେ।

ଏଥିସହିତ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ ଆଇନ, ୨୦୧୨ (ପୋକ୍ସୋ ଆଇନ)ର ବିଭିନ୍ନ ବ୍ୟବସ୍ଥା, ବିଶେଷକରି ଧାରା ୧୯ ଅନୁଯାୟୀ ଅପରାଧ ସମ୍ପର୍କରେ ସୂଚନା ଦେବାର ଆଇନଗତ ବାଧ୍ୟତା, ପୀଡ଼ିତ ଶିଶୁଙ୍କ ପରିଚୟର ଗୋପନୀୟତା ରକ୍ଷା ଏବଂ ସ୍ୱତନ୍ତ୍ର ନ୍ୟାୟାଳୟରେ ବିଚାର ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସେହିପରି ଶିଶୁ ନ୍ୟାୟ (ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫, ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬, ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ ଏବଂ ଶିକ୍ଷା ଅଧିକାର ଆଇନ, ୨୦୦୯ର ବିଭିନ୍ନ ଆଇନଗତ ବ୍ୟବସ୍ଥା ଉପରେ ମଧ୍ୟ ବକ୍ତାମାନେ ଆଲୋକପାତ କରିଥିଲେ।ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଶିଶୁମାନେ ସାଇବର ଅପରାଧ, ଅନ୍‌ଲାଇନ୍‌ ଯୌନ ଶୋଷଣ, ଅନ୍‌ଲାଇନ୍‌ ଉତ୍ପୀଡ଼ନ ଓ ବ୍ୟକ୍ତିଗତ ଫଟୋଚିତ୍ରର ଅପବ୍ୟବହାର ଭଳି ବିଭିନ୍ନ ବିପଦର ସମ୍ମୁଖୀନ ହେଉଥିବାରୁ ଏଥିପ୍ରତି ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସଚେତନ ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ଆଇନ ସେବା ପ୍ରାଧିକରଣ ଆଇନ, ୧୯୮୭ର ଧାରା ୧୨ ଅନୁଯାୟୀ ଶିଶୁମାନଙ୍କ ମାଗଣା ଆଇନ ସହାୟତା ପାଇବାର ଅଧିକାର ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।ଏହି ସଭା କାର୍ଯ୍ୟକ୍ରମରେ ଆଇନଜୀବୀ ଶରତ ଚନ୍ଦ୍ର ପଟ୍ଟନାୟକ, ଏ. ପ୍ରଶାନ୍ତ କୁମାର ଆଚାରୀ, ପବିତ୍ର ମୋହନ ନାୟକ,  ରଜନୀକାନ୍ତ ପ୍ରଧାନ,  ସୁଧାଂଶୁ ଶେଖର ପ୍ରଧାନ,  ରତ୍ନାକର ମହାନ୍ତି,  ପ୍ରହଲ୍ଲାଦ ବିଷୋୟୀ, ଜମିର ଅଲ୍ଲୀ ଖାନ, ବଳରାମ ପ୍ରଧାନ, ଦେବାଶିଷ ପାତ୍ର ଓ ହରିହର ସାହୁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବାବେଳେ ନ୍ୟାୟାଳୟ କର୍ମଚାରୀ ସନ୍ଦୀପ କୁମାର ପ୍ରଧାନ ଓ ସେରୁ ସାମଲଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ସଚେତନତା ସଭାରେ ଯୋଗଦେଇ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ।

ଶେଷରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଧନ୍ୟବାଦ ଅର୍ପଣ ଏବଂ ସଭାର ପରିସମାପ୍ତ ଘୋଷଣା କରାଯାଇଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.