ମଧୁବାବୁ ପେନସନ ଯୋଜନାରେ ଗଞ୍ଜାମ ଜିଲ୍ଲାରେ ୫୯,୦୩୧ ନୂତନ ହିତାଧିକାରୀ ସାମିଲ, ମୋଟ ସଂଖ୍ୟା ୩.୭୨ ଲକ୍ଷକୁ ବୃଦ୍ଧି ।

0 59

ଛତ୍ରପୁର,୧୧/୧୧(ପିପିଟି): ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ସିଂହଭାଗ। ଜିଲ୍ଲାର ୫୯,୦୩୧ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଏକକାଳୀନ ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟରେ ନୂତନ ଭାବେ ସାମିଲ ହୋଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୧ ପ୍ରତିଶତ ଗଞ୍ଜାମ ଜିଲ୍ଲାର । ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ସମୟୋଚିତ ଭାବେ ଭତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ଏବଂ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମ ଅବସରରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଲ୍ଲେଖ କରିଛନ୍ତି ।

ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆଜି ଗଞ୍ଜାମ ଜିଲ୍ଲା ପାଇଁ ଏକ ଖୁସି ଓ ଐତିହାସିକ ଦିନ। ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ପୂର୍ବରୁ ନିର୍ଦ୍ଧାରିତ କୋଟା ବ୍ୟବସ୍ଥା ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହେବା ସହ ଅପେକ୍ଷା କରୁଥିଲେ। ଏବେ ସେହି ବ୍ୟବସ୍ଥାର ଅବସାନ ଘଟିଛି । ନୂତନ ପୋର୍ଟାଲ ମାଧ୍ୟମରେ ଆବେଦନ,ଯାଞ୍ଚ ଓ ଅନୁମୋଦନ ପ୍ରକ୍ରିୟା ସହଜ ହେବା ସହ ଯୋଗ୍ୟ ବ୍ୟକ୍ତିମାନେ ଠିକ୍ ସମୟରେ ଭତ୍ତା ପାଇପାରିବେ । ଏହା ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଲୋକଙ୍କ ସରକାର କେବଳ ଘୋଷଣାରେ ନୁହେଁ, ବରଂ କାର୍ଯ୍ୟକାରିତାରେ ବିଶ୍ୱାସ କରନ୍ତି ବୋଲି ସେ କହିଥିଲେ ।

ରାଜ୍ୟରେ ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଫଳରେ ରାଜ୍ୟରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି । ନୂତନ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬୨୫ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବେ । ଏହି ବୃହତ୍ ପଦକ୍ଷେପରେ ଗଞ୍ଜାମର ୫୯,୦୩୧ ଜଣ ହିତାଧିକାରୀ ସାମିଲ ହୋଇଥିବାରୁ ଜିଲ୍ଲାରେ ମୋଟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୩.୭୨ ଲକ୍ଷରେ ପହଞ୍ଚିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ମନ୍ତ୍ରୀ ଶ୍ରୀ ଜେନା ଆହୁରି କହିଥିଲେ ଯେ,ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ନେଇ ଗୁଞ୍ଜରଣ ହେଉଥିଲା । କିନ୍ତୁ ବାସ୍ତବତା ହେଉଛି ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇସାରିଥିଲା । ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଭତ୍ତା ରାଶିରେ ୮୦୦ ଟଙ୍କା ନଗଦ ଓ ୨୦୦ ଟଙ୍କାର କୁପନ୍‌ ଏବଂ ୩,୦୦୦ ଟଙ୍କା ନଗଦ ସହ ୫୦୦ ଟଙ୍କା କୁପନ ମାଧ୍ୟମରେ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ । ଏଥିରେ ରାଜ୍ୟ ସରକାର ୮୦୦ ଟଙ୍କା ଦେଉଥିବା ବେଳେ ଓ କେନ୍ଦ୍ର ସରକାର ୨୦୦ ଟଙ୍କା ଦେଉଛନ୍ତି ଏବଂ ରାଜ୍ୟ ସରକାର ୩୦୦୦ ଟଙ୍କା ଓ କେନ୍ଦ୍ର ସରକାର ୫୦୦ ଟଙ୍କା ଦେଉଛନ୍ତି । ଏହି ବ୍ୟବସ୍ଥା ନଭେମ୍ବର ମାସ ଠାରୁ ଲାଗୁ କରାଯାଇଛି । ଭତ୍ତା ପ୍ରଦାନରେ ସ୍ୱଚ୍ଛତା ଓ ନିୟମିତତା ରକ୍ଷା କରିବା ସହ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ ।

ମନ୍ତ୍ରୀ ଜେନା ମଧ୍ୟ ଗଞ୍ଜାମ ଜିଲ୍ଲାର ବନ୍ୟା ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲାବାସୀଙ୍କ ସହଯୋଗ ଏବଂ ଜିଲ୍ଲାପାଳଙ୍କ ସମେତ ପ୍ରଶାସନର ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା କରିଥିଲେ। ବନ୍ୟାରେ ଗଞ୍ଜାମ ସମେତ ଗଜପତି ଓ କନ୍ଧମାଳ ଜିଲ୍ଲାର କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ସରକାର ତତ୍ପର ଅଛନ୍ତି । ବନ୍ୟା ଯୋଗୁଁ କୃଷକମାନେ ବ୍ୟାପକ କ୍ଷତି ସହିଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସଂକଳ୍ପବଦ୍ଧ ।

 

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଥିଲେ ଯେ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୫ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଥିବାବେଳେ ଗଞ୍ଜାମରେ ପାଖାପାଖି ୬୦ ହଜାର ଲୋକ ଏକକାଳୀନ ଭତ୍ତା ପାଇବାକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାକୁ ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ବନ୍ୟା ପୂର୍ବରୁ ସମସ୍ତ ସହଯୋଗ ତାସହିତ ବନ୍ୟା ପରେ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କାର ସହାୟତା ତ୍ୱରିତ ଭାବେ ପହଞ୍ଚାଇବା ସହ ପୁନରୁଦ୍ଧାର କାର୍ଯ୍ୟକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଏତେ ବଡ଼ ବନ୍ୟା ପରେ ମାତ୍ର ୮ ରୁ ୧୦ ଦିନ ମଧ୍ୟରେ ଗଞ୍ଜାମ ପୁଣି ମୁଣ୍ଡ ଟେକି ଠିଆ ହୋଇପାରିଛି । ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ସହଯୋଗ ପ୍ରଶଂସନୀୟ ବୋଲି ସେ କହିଥିଲେ ।

ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ କହିଥିଲେ ଯେ, ବୟସର ଅପରାହ୍ନରେ ମର୍ଯ୍ୟାଦା ଓ ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବା ଏକ ଜନକଲ୍ୟାଣକାରୀ ସରକାରର ଦାୟିତ୍ୱ। ଲୋକଙ୍କ ଆବଶ୍ୟକତାକୁ ବୁଝି ସରକାର ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ଆବଶ୍ୟକତା ପୂରଣ କରିବା ହିଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ ।

ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର କହିଥିଲେ ଯେ,ପୂର୍ବରୁ ଏକାଥରକେ ମାତ୍ର ୧୦୦ କିମ୍ବା ୨୦୦ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଥିଲା । ନୂତନ ବ୍ୟବସ୍ଥାରେ ଏକାଥରକେ ହଜାର ହଜାର ଯୋଗ୍ୟ ବ୍ୟକ୍ତି ଉପକୃତ ହୋଇପାରିବେ । ଏହା ଭତ୍ତା ବଣ୍ଟନ ବ୍ୟବସ୍ଥାରେ ଏକ ବିରାଟ ବଡ଼ ପରିବର୍ତ୍ତନ ବୋଲି ସେ କହିଥିଲେ ।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କହିଥିଲେ ଯେ,ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା । ଏବେ ନୂତନ ବ୍ୟବସ୍ଥା ଯୋଗୁଁ ଏହି ବିଳମ୍ବ ଦୂର ହେବ। ସୁଭଦ୍ରା, ଶ୍ରୀଅନ୍ନ ଓ ଆୟୁଷ୍ମାନ ଭଳି ଯୋଜନା ମାଧ୍ୟମରେ ସରକାର ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଥିଲେ ଯେ, ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଆଜି ଏକ ଖୁସିର ଦିନ। ଏହି ନୂତନ ପୋର୍ଟାଲ ମାଧ୍ୟମରେ ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥା ଅଧିକ ସରଳ,ସ୍ୱଚ୍ଛ ଓ ତ୍ୱରାନ୍ୱିତ ହେବ। ପୂର୍ବରୁ ପ୍ରତି ସୋମବାର ଜନଶୁଣାଣିରେ ପେନସନ ସମ୍ପର୍କିତ ଅନେକ ଅଭିଯୋଗ ଆସୁଥିଲା । ନୂତନ ବ୍ୟବସ୍ଥା ଯୋଗୁଁ ଏଭଳି ଅଭିଯୋଗ ଓ ଅସୁବିଧା ହ୍ରାସ ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ନୂତନ ୟୁପିଏମପି ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ ନିଜ ମୋବାଇଲ୍ କିମ୍ବା କମ୍ପ୍ୟୁଟର ସହିତ ନିକଟସ୍ଥ ଜନସେବା କେନ୍ଦ୍ର ଓ ବିଡିଓ କାର୍ଯ୍ୟାଳୟରେ ମଧ୍ୟ ଆବେଦନ କରିପାରିବେ । ୬୦ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ବ୍ୟକ୍ତି ଏଣିକି ଖାଲି ସ୍ଥାନ ସୃଷ୍ଟି ପାଇଁ ଅପେକ୍ଷା ନକରି ସିଧାସଳଖ ଆବେଦନ କରିପାରିବେ। ଆବେଦନ ଅନୁମୋଦନ ହେବାର ପରବର୍ତ୍ତୀ ମାସରୁ ନିୟମିତ ଭତ୍ତା ପ୍ରଦାନ କରାଯିବ । ୮୦ ବର୍ଷ ବୟସ ପୂରଣ କଲେ ଏବଂ ୮୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ୍ୱ ଦିବ୍ୟାଙ୍ଗତା ଥିଲେ ବର୍ଦ୍ଧିତ ୩,୫୦୦ ଟଙ୍କା ଭତ୍ତା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ; ପୋର୍ଟାଲରେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ। ଏହାଦ୍ୱାରା ଭତ୍ତା ପ୍ରଦାନରେ ଅନିୟମିତତା ଓ ଅପବ୍ୟବହାର ରୋକାଯିବା ସହ ଯୋଗ୍ୟ ହିତାଧିକାରୀଙ୍କ ଅଧିକାର ସୁରକ୍ଷିତ ହୋଇପାରିବ ।

କାର୍ଯ୍ୟକ୍ରମରେ ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ଏକ ହଜାର ନୂତନ ହିତାଧିକାରୀଙ୍କୁ ଅତିଥିମାନେ ଭତ୍ତା ବଣ୍ଟନ କରିଥିଲେ ।

ଏଥିସହ ଅତିଥିମାନେ ମଧୁବାବୁ ପେନସନ ଯୋଜନାର ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ବିଭାଗୀୟ ଅଧିକାରୀ, ଜିଲ୍ଲାର ଶତାଧିକ ହିତାଧିକାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.