ମିଶନ ଶକ୍ତି କମିଶନର ଗଞ୍ଜାମ ଗସ୍ତରେ; ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର କଲେ ପରିଦର୍ଶନ ।

0 66

ଛତ୍ରପୁର,୧୧/୧୧(ପିପିଟି): ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ଓ ଜୀବିକାଭିତ୍ତିକ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ।

ଗସ୍ତର ପ୍ରଥମ ଦିନରେ ସେ ଖଲ୍ଲିକୋଟ ବ୍ଲକ୍‌ର ସମଲ ନାସି ଓ ଡିମିରିଆ ଗ୍ରାମ ପରିଦର୍ଶନ କରିଥିଲେ । ସମଲ ନାସିଠାରେ ମିଶନ ଶକ୍ତି ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହ ସମଲ ଗ୍ରାମକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ ।

ଡିମିରିଆ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ନିର୍ମିତ ୩୨ରୁ ଊର୍ଦ୍ଧ୍ୱ ଗୃହ ଏବଂ ଗ୍ରାମର ଟେରାକୋଟା କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏଥିସହ ଗ୍ରାମର ଶତାଧିକ ଲକ୍ଷପତି ଦିଦିଙ୍କ ଜୀବିକା ଓ ଆୟବୃଦ୍ଧି ଲକ୍ଷ୍ୟ ପୂରଣ ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ଗସ୍ତର ଦ୍ୱିତୀୟ ଦିନରେ କମିଶନର ନିମ୍ଭାଲ ବିଭିନ୍ନ ଶିକ୍ଷାନୁଷ୍ଠାନ,ଜ୍ଞାନ କେନ୍ଦ୍ର ଓ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଗୋଳନ୍ଥରାସ୍ଥିତ ପଲ୍ଲୁର ହିଲ୍‌ର ଆଦର୍ଶ ବିଦ୍ୟାଳୟ ଓ ପଲ୍ଲୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷାର ଗୁଣାତ୍ମକ ବିକାଶ,ଲକ୍ଷ୍ୟ ନିର୍ଦ୍ଧାରଣ ଓ ଭବିଷ୍ୟତରେ ସଫଳତା ହାସଲ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିସହ ପାଠ୍ୟପୁସ୍ତକରୁ ପ୍ରଶ୍ନ ପଚାରି ସେମାନଙ୍କ ଶିକ୍ଷାର ସ୍ତର ଅନୁଧ୍ୟାନ କରିଥିଲେ ।

ଚିକିଟି ବ୍ଲକ୍‌ର ଉଳପୁର ଗ୍ରାମସ୍ଥିତ ଜ୍ଞାନ ବିକାଶ କେନ୍ଦ୍ରର ଶିଶୁ ବାଟିକା ପରିଦର୍ଶନ କରି ଶିଶୁମାନଙ୍କ ଯତ୍ନ ଓ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟର ମାନ ପରୀକ୍ଷା କରିଥିଲେ। ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ସହ ପୁଷ୍ଟିକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ସେ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ସେ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ଗୁଣୁପୁର ଓ କେଳୁଆପଲ୍ଲୀସ୍ଥିତ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ ।

ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସନ୍ତୋଷ ରଥ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.