ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଛତ୍ରପୁର ପ୍ରେସ୍ କ୍ଲବର ୫୧ ହଜାର ଟଙ୍କା ସହାୟତା ।

0 94

ଛତ୍ରପୁର,୧୦/୧୧(ପିପିଟି): ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ସହଭାଗୀ ହୋଇ ମାନବିକ ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛି ଛତ୍ରପୁର ପ୍ରେସ୍ କ୍ଲବ। ବନ୍ୟା ପ୍ରଭାବିତ ପରିବାରଙ୍କ ସହାୟତା ନିମନ୍ତେ କ୍ଲବ ପକ୍ଷରୁ ଗଞ୍ଜାମ ଜିଲ୍ଲା ରିଲିଫ୍ ପାଣ୍ଠିକୁ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ଏହି ଅର୍ଥରାଶିର ଚେକ୍ ପ୍ରଦାନ କରିଥିଲେ ।

ଏହି ମହତ୍ ଅବଦାନ ପାଇଁ ଜିଲ୍ଲାପାଳ ଛତ୍ରପୁର ପ୍ରେସ୍ କ୍ଲବକୁ ସାଧୁବାଦ ଜଣାଇବା ସହ ସାମ୍ବାଦିକମାନଙ୍କ ସାମାଜିକ ସମ୍ବେଦନଶୀଳତାର ଭୂୟସୀ ପ୍ରଶଂସା କରିଥିଲେ ।

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ସମୟରେ ସାମ୍ବାଦିକମାନେ ଦିନରାତି ଏକ କରି ଘଟଣାସ୍ଥଳରୁ ଖବର ପ୍ରସାରଣ କରିବା ସହ ବିପନ୍ନଙ୍କ ସମସ୍ୟା ଓ ଆବଶ୍ୟକତାକୁ ଲୋକଲୋଚନକୁ ଆଣିଥିଲେ । ଏଥିସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ତଥା ଜିଲ୍ଲା ବାହାରୁ ଆସି ଖବର ପରିବେଷଣ କରିଥିବା ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ନିଷ୍ଠା,ସାହସ ଓ ନିରନ୍ତର ସହଯୋଗ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଥିଲେ ।

ବନ୍ୟା ବିପତ୍ତି ସମୟରେ ସାମ୍ବାଦିକମାନେ କେବଳ ଖବର ପରିବେଷଣରେ ସୀମିତ ନ ରହି ଜନସାଧାରଣଙ୍କ ଦୁଃଖ ଓ ଦୁର୍ଦ୍ଦଶାର ସ୍ୱର ହେବା ସହ ନିଜସ୍ୱ ଉଦ୍ୟମରେ ସହାୟତାର ହାତ ବଢ଼ାଇବା ଏକ ଅନୁକରଣୀୟ ଉଦାହରଣ ।

Leave A Reply

Your email address will not be published.