ସଫେଇ, ଭିତ୍ତିଭୂମି ମରାମତି ଓ କୃଷକଙ୍କ ବୀମା ସମସ୍ୟାର ସମାଧାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ ।

0 0

ଛତ୍ରପୁର,୦୫/୧୧(ପିପିଟି): ବନ୍ୟାବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ପ୍ରଭାବିତ ପରିବାରଙ୍କ ନିକଟରେ ସରକାରୀ ସହାୟତା ତ୍ୱରିତ ଓ ସୁବ୍ୟବସ୍ଥିତ ଭାବେ ପହଞ୍ଚାଇବା ନିମନ୍ତେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜିଲ୍ଲାର ଆସିକା, ଭଞ୍ଜନଗର, ସୋରଡ଼ା, ପୁରୁଷୋତ୍ତମପୁର ସମେତ ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ବଣ୍ଟନ ସମୟରେ କ୍ଷେତ୍ରସ୍ତରରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ । ବିଭିନ୍ନ ବ୍ଲକ୍‌ର ବିଡିଓ ଓ ତହସିଲଦାରଙ୍କ ସହ ପୃଥକ୍ ଭାବେ ଆଲୋଚନା କରି ସହାୟତା ବଣ୍ଟନରେ ଥିବା ବାଧାବିଘ୍ନ ଅନୁଧ୍ୟାନ କରିବା ସହ ତାହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ପ୍ରଭାବିତ ପରିବାରଙ୍କୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ଶୀଘ୍ର ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଯେଉଁ ପରିବାରଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି ଏବଂ ଯେଉଁମାନେ ଅତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ପ୍ରଥମେ ସହାୟତା ପ୍ରଦାନ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପ୍ରଭାବିତ ପରିବାରଙ୍କୁ ମଧ୍ୟ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆସିକା,ସୋରଡ଼ା ଓ ଗଞ୍ଜାମ ସମେତ ବିଭିନ୍ନ ବ୍ଲକ୍‌ରେ ସହାୟତା ବଣ୍ଟନ ଆରମ୍ଭ ହୋଇଥିବା ବେଳେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିଥିଲେ ।

ଯେଉଁମାନେ ନିଜେ ଦୋକାନ ଚଳାଇ ଜୀବିକା ନିର୍ବାହ କରୁଥିଲେ ଏବଂ ବନ୍ୟା ଯୋଗୁଁ ସେମାନଙ୍କ ବ୍ୟବସାୟିକ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ ନିୟମାନୁଯାୟୀ ସହାୟତା ପ୍ରଦାନ ନିମନ୍ତେ ଉପଯୁକ୍ତ ଭାବେ ଚିହ୍ନଟ କରିବାକୁ କହିଥିଲେ । କ୍ଷତିଗ୍ରସ୍ତ ଦୋକାନର ଫଟୋଚିତ୍ର ଓ ଆବଶ୍ୟକ ରେକର୍ଡ ସହ କ୍ଷୟକ୍ଷତିର ବିବରଣୀ ଶୀଘ୍ର ଦାଖଲ କରିବାକୁ କହିଥିଲେ ।

ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଫେଇ ଓ ପରିମଳ କାର୍ଯ୍ୟ ହାତକୁ ନେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।

ବେସରକାରୀ ବିଦ୍ୟାଳୟ ଗୁଡ଼ିକର କୋଠା ଓ ଭିତ୍ତିଭୂମି ସୁରକ୍ଷିତ ଥିବା ଏବଂ ପୁନର୍ବାର ଖୋଲିବା ଉପଯୋଗୀ ହୋଇଥିବା ସମ୍ପର୍କରେ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ପ୍ରମାଣପତ୍ର ଗ୍ରହଣ କରି ବିଦ୍ୟାଳୟ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପାଠପଢ଼ା ପୁନରାରମ୍ଭ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

ବନ୍ୟା ଯୋଗୁଁ ଫସଲ କ୍ଷତି ସହିଥିବା ଚାଷୀଙ୍କ ଫସଲ ବୀମା ସମ୍ପର୍କିତ ସମସ୍ୟା ଓ ଅଭିଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଏଥିସହ ବନ୍ୟାରେ କ୍ଷତିଗ୍ରସ୍ତ ନଦୀବନ୍ଧ, ନାଳ, ଡ୍ୟାମ୍ ଓ ଆନିକଟଗୁଡ଼ିକର ମରାମତି କାର୍ଯ୍ୟ ତ୍ୱରିତ ଭାବେ ହାତକୁ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ,ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.