ଭୁବନେଶ୍ୱର, ୦୪/୧୧(ପିପିଟି): ଗଞ୍ଜାମ ଜିଲ୍ଲାର ଡିଏସ୍ପି ଗିରିଜା ନନ୍ଦନ ପଟ୍ଟନାୟକ ନିଜର କର୍ତ୍ତବ୍ୟନିଷ୍ଠା, ସାହସିକତା, ସଚ୍ଚୋଟତା ଓ ଜନସେବା ମନୋଭାବ ପାଇଁ ସମ୍ମାନିତ ହୋଇଛନ୍ତି। ତାଙ୍କର ଦାୟିତ୍ୱବୋଧ ଓ ନିଷ୍ଠାପର ସେବାକୁ ସ୍ୱୀକୃତି ଦେଇ ତାଙ୍କୁ ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ସମ୍ମାନ ପ୍ରଦାନ କରାଯାଇଛି।
ଗତ ୩ ନଭେମ୍ବର ୨୦୨୬ରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ୍ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଏହି ଅବସରରେ ପୋଲିସ ବିଭାଗରେ ନିଜର ଉତ୍କୃଷ୍ଟ କର୍ତ୍ତବ୍ୟ ସମ୍ପାଦନ ଓ ନିଷ୍ଠାପର ସେବା ପାଇଁ ଡିଏସ୍ପି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା।
ସବ୍-ଇନ୍ସପେକ୍ଟର ଭାବେ ପୋଲିସ ବିଭାଗରେ ନିଜର କାର୍ଯ୍ୟଜୀବନ ଆରମ୍ଭ କରିଥିବା ଗିରିଜା ନନ୍ଦନ ପଟ୍ଟନାୟକ ଆଜି ନିଜର ଅଭିଜ୍ଞତା, ଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ବଳରେ ଡିଏସ୍ପି ପଦବୀରେ ପହଞ୍ଚିଛନ୍ତି। ବିଭିନ୍ନ ଥାନାରେ କାର୍ଯ୍ୟରତ ରହି ସେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ନିଜର ଦକ୍ଷତାର ପରିଚୟ ଦେଇଆସିଛନ୍ତି।
ଜଣେ ସାହସୀ, ସଚ୍ଚୋଟ ଓ ମାନବିକ ଦୃଷ୍ଟିକୋଣ ରଖୁଥିବା ପୋଲିସ ଅଧିକାରୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାଠାରୁ ଆରମ୍ଭ କରି ତାହାର ସମାଧାନ ପର୍ଯ୍ୟନ୍ତ ସେ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି। ତାଙ୍କର ଏହି ସମ୍ମାନ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ପୋଲିସ ବିଭାଗରେ ନିଷ୍ଠା ଓ ସମର୍ପଣ ଭାବର ସହ କାର୍ଯ୍ୟ କରୁଥିବା ଅନ୍ୟ ଅଧିକାରୀଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇଛି।