ବେଗୁନିଆପଡ଼ା,୦୪/୧୧(ପିପିଟି) : ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା ରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ, ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ମୃତକ ରଶ୍ମିତା ଶବରଙ୍କ ସ୍ୱାମୀ ବିପ୍ର ଶବରଙ୍କ ନିଜ ଗ୍ରାମରେ ଥିବା ଘରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ଚନ୍ଦନପୁର ପଞ୍ଚାୟତ ସୋରଡ଼ାପଲ୍ଲୀ ଅନ୍ତର୍ଗତ କରନ୍ଦାଗଡ଼ ଗ୍ରାମକୁ ଯିବା ପାଇଁ ଯାତାୟାତ ଉପଯୋଗୀ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ଦୋଳାରେ ବୋହି ନେବାକୁ ପଡ଼ିଥିଲା। ହେଲେ ଦୁର୍ଭାଗ୍ୟବଶତଃ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ରଶ୍ମିତା ଶବର । ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା,ଜଣେ ରୋଗୀଙ୍କୁ ଦୋଳାରେ ବୋହି ନେବା ଏବଂ ରାସ୍ତାରେ ଜୀବନ ଚାଲିଯିବା ଘଟଣା ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ଗୁରୁତର ପ୍ରଶ୍ନବାଚୀ ବୋଲି ଚର୍ଚ୍ଚା ହୋଇଥିଲା ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ