କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ; ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲା ଆନ୍ଧ୍ର ପୁଲିସ।

0 9

କୋରାପୁଟ,୦୩/୧୧(ପିପିଟି): କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶର ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କେନ୍ଦ୍ର କରି କୋଟିଆ ସୀମାନ୍ତ ନେରିଡ଼ିୱାଲସାଠାରେ ଉଭୟ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୁଲିସ ଓଡ଼ିଶା ପୁଲିସ ପକ୍ଷରୁ ନିର୍ମାଣ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଏହି ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ନିର୍ବାଚନ ଦିନ କୋଟିଆକୁ ସୁରକ୍ଷା ଦେବା ପାଇଁ ସବୁ ରାଜନୈତିକ ଦଳର ନେତା ଓ ପ୍ରଶାସନିକ ଅଧିକାରୀ ଏକାଠି ହେବେ। ବର୍ତ୍ତମାନ କୋଟିଆ ଅଞ୍ଚଳରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୀମାରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଚାଉଳ ବୋଝେଇ ଟ୍ରକ୍କୁ ଫେରାଇ ଦିଆଯାଇଥିବା ସହ ସେଠାକୁ ଆସିଥିବା ଅଧିକାରୀଙ୍କୁ ମଧ୍ୟ ଫେରାଇ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କୋଟିଆବାସୀ ଆନ୍ଧ୍ରର ଏହି ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରୁଥିବା ସେ ଦାବି କରିଛନ୍ତି। ନିର୍ବାଚନ ଦିନ ସ୍ଥାନୀୟ ଲୋକ, ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ କୋଟିଆରେ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି। ଗତ ନିର୍ବାଚନ ସମୟରେ କୋଟିଆ ଭିତରେ ଆନ୍ଧ୍ର ପକ୍ଷରୁ ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଚଳିତ ବର୍ଷ ଆନ୍ଧ୍ର ସୀମା ଭିତରେ ବୁଥ୍ ସ୍ଥାପନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। କୋଟିଆ ପ୍ରସଙ୍ଗର ଦୀର୍ଘ ଇତିହାସ ରହିଛି। ୧୯୬୮ ମସିହାରେ ଏହି ବିବାଦକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ୨୦୨୧ରେ ମଧ୍ୟ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ମାମଲା ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନର ରାଜ୍ୟ ସରକାର ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଆଉ ଏକ ଅଦାଲତ ଅବମାନନା ମାମଲା ଦାଖଲ କରିଥିବା ସେ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଏପରି କାର୍ଯ୍ୟକଳାପ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବା ଅଭିଯୋଗ କରି ଓଡ଼ିଶା ସରକାର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.