ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଦୁଇ ମହିଳା ସଂକ୍ରମଣ, ୩୦ରୁ ଅଧିକ ଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ; ପରୀକ୍ଷା ସ୍ଥଗିତ ।
ଭୁବନେଶ୍ୱର, ୦୩/୧୧(ପିପିଟି): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱବିଦ୍ୟାଳୟର ୬ ଓ ୭ ନମ୍ବର ମହିଳା ହଷ୍ଟେଲରେ ଏକାଧିକ ଛାତ୍ରୀ ସଂକ୍ରମିତ ହେବା ପରେ କର୍ତ୍ତୃପକ୍ଷ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ନୋଟିସ୍ ଜାରି ହୋଇଛି। ହଷ୍ଟେଲରେ ଏଭଳି ସ୍ଥିତିକୁ ନେଇ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ସ୍ୱାସ୍ଥ୍ୟଗତ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ୍ ଟିମ୍ ହଷ୍ଟେଲରେ ପହଞ୍ଚି ୩୦ରୁ ଅଧିକ ଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି। କ୍ୟାମ୍ପସରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ, ଫାର୍ମାସି ଓ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି। ଏଥିସହ ହଷ୍ଟେଲଗୁଡ଼ିକୁ ୧,୦୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବେଳେ ଛାତ୍ରୀମାନଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ଏକ ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ୍ ହଷ୍ଟେଲ ପରିଦର୍ଶନ କରି ଜଳ ଓ ରକ୍ତ ନମୁନା ସଂଗ୍ରହ କରିଛି। ଏହି ଟିମ୍ରେ ମହାମାରୀ ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ଓ ଯୋଗାଯୋଗ ବିଶେଷଜ୍ଞ ସାମିଲ ଅଛନ୍ତି। ହଷ୍ଟେଲରେ ସୁରକ୍ଷିତ ପାନୀୟ ଜଳ ବ୍ୟବହାର ଓ ଖାଦ୍ୟର ସ୍ୱଚ୍ଛତା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଉଛି। ଏଥିସହ ଝାଡ଼ାବାନ୍ତି, ଜ୍ୱର କିମ୍ବା ଜଣ୍ଡିସ୍ର ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ତୁରନ୍ତ ଚିକିତ୍ସା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।