ଛତ୍ରପୁର,୩୧/୧୦(ପିପିଟି): ଆସନ୍ତା ନଭେମ୍ବର ୨ ଓ ୩ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଛତ୍ରପୁରସ୍ଥିତ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମ୍ଭାବ୍ୟ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି, ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ,ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଆଗୁଆ ସୂକ୍ଷ୍ମ ଯୋଜନା ପ୍ରସ୍ତୁତ କରିବା ସହ ଆସନ୍ତାକାଲି ରାତି ସୁଦ୍ଧା ବିପଦସଂକୁଳ ସ୍ଥାନରେ ରହୁଥିବା ସମସ୍ତଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବିପଦସଂକୁଳ ସ୍ଥାନରେ ଯେପରି ଜଣେ ହେଲେ ବ୍ୟକ୍ତି ରହିବେ ନାହିଁ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ଗ୍ରାମରେ ମାଇକ୍ ଯୋଗେ ସଚେତନତା ଓ ସତର୍କ ସୂଚନା ପ୍ରଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଜଳବନ୍ଦୀ ଆଶଙ୍କା ଥିବା ଅଞ୍ଚଳର ପ୍ରତ୍ୟେକ ଗ୍ରାମ ଓ ଗ୍ରାମପଞ୍ଚାୟତରେ ପର୍ଯ୍ୟାପ୍ତ ରାସନ ସାମଗ୍ରୀ,ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଜେନେରେଟର ଆଦିର ବ୍ୟବସ୍ଥା କରିବାକୁ କୁହାଯାଇଛି । କୌଣସି ବ୍ୟକ୍ତି ଯେପରି ଭୋକିଲା ନ ରହିବେ, ସେଥିପାଇଁ ଉଦାରତାର ସହ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ କହିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଦିନରାତି ଏକ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ଯେକୌଣସି ଆବଶ୍ୟକତା ଥିଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସମସ୍ତ ଅସୁରକ୍ଷିତ ସ୍ଥାନରେ ରହୁଥିବା ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବର୍ଷା ଓ ବନ୍ୟା ଯୋଗୁଁ ପାନୀୟ ଜଳ ପ୍ରଦୂଷିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ କୁହାଯାଇଛି। ଝାଡ଼ାବାନ୍ତି, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ସେବା ପ୍ରସ୍ତୁତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ନଭେମ୍ବର ୨ ରୁ ୪ ତାରିଖ ମଧ୍ୟରେ ଏବଂ ପ୍ରତିକୂଳ ପାଣିପାଗ ସମୟରେ ସମୁଦ୍ରକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଆବଶ୍ୟକତା ଅନୁଯାୟୀ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ଗୁଡ଼ିକୁ ସମ୍ବେଦନଶୀଳ ସ୍ଥାନରେ ଆଗୁଆ ମୁତୟନ କରିବାକୁ କୁହାଯାଇଛି । ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ପ୍ରାଣୀସମ୍ପଦଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରଖିବାକୁ ପ୍ରାଣୀ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାର ଲୋକମାନେ ସମ୍ପ୍ରତି ବନ୍ୟା ଯୋଗୁଁ ବହୁ ଦୁଃଖ ଓ କଷ୍ଟ ମଧ୍ୟରେ ରହିଛନ୍ତି । ତେଣୁ ଏଭଳି ସମୟରେ ପ୍ରଭାବିତ ଲୋକଙ୍କୁ ଅତିଥିଙ୍କ ଭଳି ସମ୍ମାନ, ସମ୍ବେଦନଶୀଳତା ଓ ଆତ୍ମୀୟତାର ସହ ବ୍ୟବହାର କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ ବଣ୍ଟନ ସମୟରେ କୌଣସି ପ୍ରକାର କାର୍ପଣ୍ୟ ନ କରି ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇଦେବାକୁ ସେ କହିଛନ୍ତି । ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ନିର୍ବାହ କରିବା ଆବଶ୍ୟକ। କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ବୈଠକରେ ଅନ୍ୟ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଏଡିଏମ୍ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇଏଏସ୍ ପ୍ରଶିକ୍ଷାର୍ଥୀ ଏସ୍. ଶରଣ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ବିଭାଗର ଅଧିକାରୀ,ବିଡିଓ ଓ ତହସିଲଦାର ବୈଠକରେ ଯୋଡ଼ି ହୋଇଥିଲେ ।