ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା: ନଭେମ୍ବର ୩ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ।

0 35

ଭଞ୍ଜନଗର, ୩୧/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଖଣ୍ଡରେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ସହ ନଭେମ୍ବର ୧ ତାରିଖ ରବିବାର ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ସତର୍କ ସୂଚନାକୁ ଆଧାର କରି ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।
ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଲେ ମଧ୍ୟ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଦାୟିତ୍ୱ ସମ୍ପାଦନ କରିବେ।
ଅନ୍ୟପକ୍ଷରେ, ବନ୍ୟା ପରିସ୍ଥିତିର ମୁକାବିଲା, ରିଲିଫ୍ ବଣ୍ଟନ, ଉଦ୍ଧାର, ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ନଭେମ୍ବର ୧ ତାରିଖ ରବିବାର ଦିନ ଭଞ୍ଜନଗର ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଉପଖଣ୍ଡ, ବ୍ଲକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜରୁରୀକାଳୀନ କାର୍ଯ୍ୟ ଏବଂ ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବେ।

ଏହି ନିର୍ଦ୍ଦେଶର ଅବମାନନା କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ନିୟମାନୁଯାୟୀ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଏହି ପରିପ୍ରେକ୍ଷୀରେ, ଉପଖଣ୍ଡବାସୀଙ୍କୁ ପାଣିପାଗ ସମ୍ପର୍କିତ ସରକାରୀ ସତର୍କ ସୂଚନା ପ୍ରତି ସଚେତନ ରହିବା ସହ ଅଯଥାରେ ଜଳମଗ୍ନ ଅଞ୍ଚଳ, ନଦୀ ଓ ନାଳ ନିକଟକୁ ନଯିବା ଏବଂ ଜରୁରୀ ପରିସ୍ଥିତିରେ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.