ଭୁବନେଶ୍ୱର,୩୧/୧୦(ପିପିଟି): ନୂଆବର୍ଷ ୨୦୨୭ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷ ବିଭିନ୍ନ ପର୍ବପର୍ବାଣୀ, ଜାତୀୟ ଦିବସ ଓ ଧାର୍ମିକ ଉତ୍ସବ ଅବସରରେ କେଉଁ କେଉଁ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ମୋଟ ୨୯ଟି ସରକାରୀ ଛୁଟି ସହ ଇଚ୍ଛାଧୀନ ଛୁଟିର ତାଲିକା ମଧ୍ୟ ସ୍ଥାନ ପାଇଛି। ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ୨୬ରେ ସାଧାରଣତନ୍ତ୍ର ଦିବସରୁ ବର୍ଷର ଛୁଟି ଆରମ୍ଭ ହେବ। ଫେବ୍ରୁଆରୀ ୧୧ରେ ବସନ୍ତ ପଞ୍ଚମୀ ପାଇଁ ଛୁଟି ରହିଛି। ମାର୍ଚ୍ଚ ମାସରେ ମହାଶିବରାତ୍ରି (୬), ଇଦ୍-ଉଲ୍-ଫିତର (୧୦), ଦୋଳ ପୂର୍ଣ୍ଣିମା (୨୨), ହୋଲି (୨୩) ଓ ଗୁଡ୍ ଫ୍ରାଇଡେ (୨୬) ଅବସରରେ ସରକାରୀ ଛୁଟି ରହିବ। ଏପ୍ରିଲ ୧ରେ ଉତ୍କଳ ଦିବସ, ୧୪ରେ ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଏବଂ ୧୫ରେ ଶ୍ରୀରାମ ନବମୀ ପାଳନ ପାଇଁ ଛୁଟି ଘୋଷଣା କରାଯାଇଛି। ମେ’ ୧୭ରେ ଇଦ୍-ଉଲ୍-ଜୁହା ଏବଂ ୨୦ରେ ବୁଦ୍ଧ ଜୟନ୍ତୀ, ବୈଶାଖ ପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ ପାଇଁ ଛୁଟି ରହିବ। ଜୁନ୍ ମାସରେ ୪ ତାରିଖରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ୍ ଅବସରରେ କାର୍ଯ୍ୟାଳୟ ବନ୍ଦ ରହିବ। ଜୁଲାଇ ୫ରେ ରଥଯାତ୍ରା, ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ପାଇଁ ଛୁଟି ରହିଛି। ସେପ୍ଟେମ୍ବର ୪ରେ ଗଣେଶ ପୂଜା, ୬ରେ ନୂଆଖାଇ ପରବର୍ତ୍ତୀ ଦିନ ଏବଂ ୩୦ରେ ମହାଳୟା ପାଇଁ ଛୁଟି ଘୋଷଣା ହୋଇଛି। ଅକ୍ଟୋବର ମାସରେ ଦୁର୍ଗାପୂଜା ସମେତ ବିଭିନ୍ନ ପର୍ବ ପାଇଁ ସର୍ବାଧିକ ଛୁଟି ରହିଛି। ଏହି ମାସରେ ୨ ତାରିଖରେ ଗାନ୍ଧୀ ଜୟନ୍ତୀ, ୬ରେ ମହାସପ୍ତମୀ, ୭ରେ ମହାଷ୍ଟମୀ, ୮ରେ ମହାନବମୀ, ୧୦ରେ ବିଜୟା ଦଶମୀ, ୧୫ରେ କୁମାର ପୂର୍ଣ୍ଣିମା ଓ ୨୯ରେ ଦୀପାବଳି ପାଇଁ ଛୁଟି ରହିବ। ଡିସେମ୍ବର ୨୫ରେ ବଡ଼ଦିନ ପଡ଼ୁଥିବା ବେଳେ ଏହା ଚତୁର୍ଥ ଶନିବାର ହୋଇଥିବାରୁ ଏଥିପାଇଁ ପୃଥକ୍ ଛୁଟି ଘୋଷଣା କରାଯାଇନାହିଁ। ସେହିପରି ଇଚ୍ଛାଧୀନ ଛୁଟି ତାଲିକାରେ ଥିବା ଆଉ ପାଞ୍ଚଟି ପର୍ବ ଚତୁର୍ଥ ଶନିବାର କିମ୍ବା ରବିବାର ପଡ଼ୁଥିବାରୁ ସେଗୁଡ଼ିକୁ ଅଲଗା ଭାବେ ତାଲିକାଭୁକ୍ତ କରାଯାଇନାହିଁ।