ଗଞ୍ଜାମରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟସରକାରଙ୍କ ସମନ୍ୱିତ ପ୍ରୟାସ ।

0 3

ଭୁବନେଶ୍ବର/ଗଞ୍ଜାମ,୩୧/୧୦(ପିପିଟି) :ଗଞ୍ଜାମ ଜିଲ୍ଲାର କନ୍ଧମାଳ ସୀମାନ୍ତବର୍ତ୍ତୀ ବାଇବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଡ଼ମା ରାଜସ୍ୱ ଗ୍ରାମର ଗିଡ଼ିପାବଲିଠାରେ ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ହେଲିକପ୍ଟର ଯୋଗେ ତିନୋଟି ଅତ୍ୟାଧୁନିକ ସନ୍ଧାନ ଉପକରଣ ଘୁ. ଉଦୟଗିରିକୁ ନିଆଯାଉଥିଲା । ଏହି ଉପକରଣଗୁଡ଼ିକ ମଧ୍ୟରେ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ (ସିସ୍ମିକ୍), ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ରହିଛି ।

ତେବେ ପ୍ରତିକୂଳ ପାଣିପାଗ ଯୋଗୁଁ ହେଲିକପ୍ଟରଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିପାରିନଥିଲା । ଏହି ଉପକରଣଗୁଡ଼ିକୁ ବର୍ତ୍ତମାନ ସଡ଼କ ପଥରେ ପଠାଯାଉଛି ଏବଂ ଆସନ୍ତାକାଲି ସକାଳର ପ୍ରଥମ ପର୍ଯ୍ୟାୟରୁ ଏଗୁଡ଼ିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ ।

ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ବିଭିନ୍ନ ଆହ୍ୱାନ ସୃଷ୍ଟି ହେଉଛି । ତେବେ, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉଦ୍ଧାର ଅଭିଯାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ଟିମ୍‌ ସହିତ ଭାରତୀୟ ରେଳବାଇର ଉଦ୍ଧାରକାରୀ ଦଳ ମଧ୍ୟ ସାମିଲ ହୋଇଛନ୍ତି ।

ପ୍ରଭାବିତ ଅଞ୍ଚଳରେ ପହଞ୍ଚିବାରେ ରହିଥିବା ଅସୁବିଧା ଏବଂ ପ୍ରତିକୂଳ ପାଣିପାଗ ସତ୍ତ୍ୱେ, ବିଶେଷଜ୍ଞମାନଙ୍କ ସହ ପରାମର୍ଶ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରିବା ତଥା ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.